ନ୍ୟୁଜ ଡେକ୍ସ : ରାଜ୍ୟରେ ଜମିଜମା ଓ ସମ୍ପତ୍ତି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ଦୁର୍ନୀତିମୁକ୍ତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟର ସମସ୍ତ ଉପ-ପଞ୍ଜୀକରକ ଏବଂ ଜିଲ୍ଲା ଉପ-ପଞ୍ଜୀକରକ କାର୍ଯ୍ୟାଳୟରେ ନଗଦ ଟଙ୍କା କାରବାର ବଦଳରେ ସମ୍ପୂର୍ଣ୍ଣ ଡିଜିଟାଲ ଦେୟ ବ୍ୟବସ୍ଥା ଲାଗୁ କରାଯିବ। ଏହା ଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟା ଅଧିକ ସହଜ ଓ ଜନବନ୍ଧବ ହେବା ସହ ଅନିୟମିତତା ହ୍ରାସ ପାଇବ ବୋଲି ଆଶା କରାଯାଉଛି।ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ବ୍ୟବସ୍ଥାର ସଫଳ କାର୍ଯ୍ୟକାରିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।
ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡାକ୍ତର ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଲୋକ ସେବା ଭବନରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।ଏହି ଯୋଜନା ଅନୁଯାୟୀ ରାଜ୍ୟର ବିଭିନ୍ନ ପଞ୍ଜୀକରଣ କାର୍ଯ୍ୟାଳୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୩୫୦ଟି ସ୍ୱାଇପ ଯନ୍ତ୍ର ସ୍ଥାପନ କରାଯିବ। ଭାରତୀୟ ବ୍ୟାଙ୍କ ମାଧ୍ୟମରେ ଏହି ଯନ୍ତ୍ରଗୁଡ଼ିକ ଯୋଗାଇ ଦିଆଯିବ ଏବଂ ସେଗୁଡ଼ିକର ସମସ୍ତ ଖର୍ଚ୍ଚ ରାଜସ୍ୱ ବିଭାଗ ବହନ କରିବ। ଫଳରେ ନାଗରିକମାନେ ସିଧାସଳଖ ଡିଜିଟାଲ ଉପାୟରେ ନିଜ ଦେୟ ପ୍ରଦାନ କରିପାରିବେ।ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ସହରର ଉପ-ପଞ୍ଜୀକରକ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ। ପରେ ଏହାର ସଫଳତାକୁ ଆଧାର କରି ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରର କାର୍ଯ୍ୟାଳୟକୁ ବିସ୍ତାର କରାଯିବ।କାର୍ଯ୍ୟାଳୟଗୁଡ଼ିକର କାମର ପରିମାଣ ଏବଂ ଦୈନିକ ପଞ୍ଜୀକରଣ ସଂଖ୍ୟାକୁ ଦୃଷ୍ଟିରେ ରଖି ଯନ୍ତ୍ର ବଣ୍ଟନ କରାଯିବ।
ସେହିପରି ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାମ ବାଧାପ୍ରାପ୍ତ ନହେବା ପାଇଁ ପାଞ୍ଚ ବର୍ଷର ରକ୍ଷଣାବେକ୍ଷଣ ବ୍ୟବସ୍ଥା ମଧ୍ୟ କରାଯିବ।ସରକାରୀ ଅନୁମୋଦନ ପରେ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ। ଏଥିସହ ପଞ୍ଜୀକରଣ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିଟାଲ କାରବାର ଏବଂ ଯନ୍ତ୍ର ପରିଚାଳନା ସମ୍ପର୍କରେ ତାଲିମ ଦିଆଯିବ।ନୂଆ ବ୍ୟବସ୍ଥା ଆରମ୍ଭ ହେବା ପରେ କାର୍ଯ୍ୟାଳୟଗୁଡ଼ିକରେ ନଗଦ ଟଙ୍କା ଆଦାୟକୁ ପ୍ରାୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ। କେବଳ ଜରୁରୀକାଳୀନ ଓ ଅପରିହାର୍ଯ୍ୟ ପରିସ୍ଥିତିକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ କାର୍ଡ କିମ୍ବା ଅନଲାଇନ ମାଧ୍ୟମରେ ଦେୟ ଗ୍ରହଣ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ସରକାର ପୂର୍ବରୁ ରାଜ୍ୟର ସମସ୍ତ ତହସିଲ କାର୍ଯ୍ୟାଳୟରେ ପଞ୍ଜୀକରଣ ସେବା ଉପଲବ୍ଧ କରାଇ ସାଧାରଣ ଲୋକଙ୍କ ସମୟ ବଞ୍ଚାଇବା ସହ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟଭାର କମାଇଛନ୍ତି। ଏବେ ଡିଜିଟାଲ ଦେୟ ବ୍ୟବସ୍ଥାର ପ୍ରଚଳନ ସରକାରୀ ସେବାରେ ସ୍ୱଚ୍ଛତା, ଜବାବଦେହିତା ଏବଂ ଲୋକବିଶ୍ୱାସ ବୃଦ୍ଧି କରିବାରେ ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟା ଅଧିକ ଆଧୁନିକ, ସୁରକ୍ଷିତ ଓ ଜନସାଧାରଣଙ୍କ ପାଇଁ ସୁବିଧାଜନକ ହେବା ସହ ଦୁର୍ନୀତି ରୋକିବାରେ ମଧ୍ୟ ସହାୟକ ହେବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି।

