Mon. Jun 22nd, 2026

ନ୍ୟୁଜ ଡେକ୍ସ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ ଏବଂ ଯାଞ୍ଚ ପ୍ରକ୍ରିୟାର ଫଳାଫଳ ପ୍ରକାଶ ପାଇଛି। ପରୀକ୍ଷାରେ ପ୍ରାପ୍ତ ନମ୍ବରକୁ ନେଇ ଅସନ୍ତୁଷ୍ଟ ହୋଇ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ ବୋର୍ଡର ଅଧିକୃତ ଜାଲସ୍ଥଳକୁ ଯାଇ ନିଜ ଫଳାଫଳ ଦେଖିପାରିବେ। ଫଳାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀଙ୍କୁ ନିଜର ପରୀକ୍ଷା କ୍ରମିକ ସଂଖ୍ୟା ଏବଂ ଜନ୍ମତାରିଖ ବ୍ୟବହାର କରିବାକୁ ପଡ଼ିବ।

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପୁନଃମୂଲ୍ୟାୟନ ପାଇଁ ଆବେଦନ କରିଥିବା ପ୍ରାୟ ୮୭ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଖାତା ଯାଞ୍ଚ କାର୍ଯ୍ୟ ଶେଷ ହୋଇସାରିଛି ଏବଂ ସେମାନଙ୍କର ଫଳାଫଳ ଘୋଷଣା କରାଯାଇଛି। ଅବଶିଷ୍ଟ ୧୩ ପ୍ରତିଶତ ପରୀକ୍ଷାର୍ଥୀଙ୍କ ଫଳାଫଳ ମଧ୍ୟ ଆସନ୍ତା କିଛି ଦିନ ମଧ୍ୟରେ ପର୍ଯ୍ୟାୟକ୍ରମେ ପ୍ରକାଶ ପାଇବ। ତେଣୁ ଯେଉଁମାନଙ୍କର ଫଳ ଏପର୍ଯ୍ୟନ୍ତ ଆସିନାହିଁ ସେମାନଙ୍କୁ ଧୈର୍ଯ୍ୟ ଧରିବାକୁ ବୋର୍ଡ ପରାମର୍ଶ ଦେଇଛି।ଏଥର ପୁନଃମୂଲ୍ୟାୟନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିମୁକ୍ତ କରିବା ପାଇଁ ବୋର୍ଡ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲା। ଏଥିପାଇଁ ବୈଷୟିକ କ୍ଷେତ୍ରର ପ୍ରମୁଖ ଅନୁଷ୍ଠାନ ଓ ବିଶେଷଜ୍ଞମାନଙ୍କ ସହଯୋଗ ନିଆଯାଇଥିଲା।

ଫଳସ୍ୱରୂପ ମୂଲ୍ୟାୟନ ପ୍ରକ୍ରିୟା ଅଧିକ ବିଶ୍ୱସନୀୟ ଓ ସଠିକ୍ ହୋଇପାରିଛି ବୋଲି ବୋର୍ଡ ଦାବି କରିଛି।ଯେଉଁ ପରୀକ୍ଷାର୍ଥୀଙ୍କ ନମ୍ବରରେ ବୃଦ୍ଧି ଘଟିଛି, ସେମାନେ ନିଜର ନୂତନ ଡିଜିଟାଲ ମାର୍କପତ୍ର ଅନଲାଇନ ମାଧ୍ୟମରେ ସଂଗ୍ରହ କରିପାରିବେ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ନାମଲେଖା ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟରେ ସୁବିଧା ପାଇବେ।ସେହିପରି ଯେଉଁ ପରୀକ୍ଷାର୍ଥୀଙ୍କ ନମ୍ବରରେ କୌଣସି ପରିବର୍ତ୍ତନ ହୋଇନାହିଁ, ସେମାନଙ୍କ ପାଇଁ ମଧ୍ୟ ବୋର୍ଡ ଏକ ନୂଆ ସୁଯୋଗ ଘୋଷଣା କରିଛି। ସେମାନେ ଇଚ୍ଛା କଲେ ନିଜ ଉତ୍ତରଖାତାକୁ ସ୍ୱୟଂ ଦେଖିପାରିବେ।

ଏହା ସମ୍ପର୍କରେ ଖୁବ୍ ଶୀଘ୍ର ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ସୂଚୀ ଏବଂ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି ସୂଚନା ମିଳିଛି।ଶିକ୍ଷାବିତ୍ ମହଲରେ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ପୁନଃମୂଲ୍ୟାୟନ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ନିଜ ଉତ୍ତରଖାତା ଦେଖିବାର ସୁଯୋଗ ଦେବା ଦ୍ୱାରା ପରୀକ୍ଷା ବ୍ୟବସ୍ଥା ଉପରେ ସେମାନଙ୍କ ବିଶ୍ୱାସ ଆହୁରି ଦୃଢ଼ ହେବ ବୋଲି ମତ ପ୍ରକାଶ ପାଉଛି। ଏହି ନୂଆ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସୁରକ୍ଷା ସହ ଶିକ୍ଷା କ୍ଷେତ୍ରରେ ଜବାବଦେହିତାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *