Mon. Jun 22nd, 2026

ନ୍ୟୁଜ ଡେକ୍ସ : ତାମିଲନାଡୁର ତିରୁଭଲ୍ଲୁର ଅଞ୍ଚଳରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଅଘଟଣରେ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି। ଏହାସହ ଆହତ ହୋଇଥିବା ଓଡ଼ିଆ ଶ୍ରମିକମାନଙ୍କ ଶୀଘ୍ର ସୁସ୍ଥତା ପାଇଁ କାମନା କରିଛନ୍ତି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖଦ ଘଟଣା ତାଙ୍କୁ ଅତ୍ୟନ୍ତ ମର୍ମାହତ କରିଛି।

ଦୁର୍ଘଟଣାରେ ପ୍ରଭାବିତ ଶ୍ରମିକମାନଙ୍କ ସହାୟତା ଓ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିରନ୍ତର ଭାବେ ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗରେ ରହିଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଆହତ ଶ୍ରମିକମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବା ସହ ସେମାନଙ୍କୁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦିଆଯିବା ନେଇ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

ଏହାବ୍ୟତୀତ ସ୍ଥିତିର ତଦାରଖ ଓ ସମନ୍ୱୟ ରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ତିନିଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଅଭିମୁଖେ ଯାତ୍ରା କରିଛନ୍ତି। ସେମାନେ ସେଠାରେ ପହଞ୍ଚି ଆହତ ଓଡ଼ିଆ ଶ୍ରମିକ ଓ ସେମାନଙ୍କ ପରିବାରଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଯୋଗାଇବା ସହ ପରିସ୍ଥିତି ଉପରେ ନଜର ରଖିବେ। ଏହି ଦୁର୍ଘଟଣା ପରେ ଓଡ଼ିଶା ସରକାର ପ୍ରଭାବିତ ଶ୍ରମିକମାନଙ୍କ ସହାୟତା ପାଇଁ ସମ୍ପୂର୍ଣ୍ଣ ତତ୍ପରତା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *