Tue. Jun 23rd, 2026

ନ୍ୟୁଜ ଡେକ୍ସ : ପାଠ୍ୟପୁସ୍ତକରେ ଏକାଧିକ ତ୍ରୁଟି ନେଇ ବିବାଦ ସୃଷ୍ଟି ହେବା ପରେ ସଜାଗ ହୋଇଛି ଶିକ୍ଷା ବିଭାଗ। ପାଠ୍ୟପୁସ୍ତକର ଗୁଣବତ୍ତା ବୃଦ୍ଧି, ତ୍ରୁଟି ନିୟନ୍ତ୍ରଣ ଏବଂ ପାଠପଢ଼ାକୁ ଅଧିକ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି। ଏଣିକି ପାଠ୍ୟପୁସ୍ତକରେ ସଙ୍କେତ ଚିହ୍ନ ବ୍ୟବସ୍ଥା ରହିବ।

ଏହି ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ାକୁ ଅଧିକ ସ୍ୱଚ୍ଛ, ସହଜ ଏବଂ ପ୍ରଯୁକ୍ତିନିର୍ଭର କରିବା ସହିତ ଭବିଷ୍ୟତରେ ପାଠ୍ୟପୁସ୍ତକରେ ତ୍ରୁଟି ରୋକିବାରେ ବଡ଼ ସହାୟତା ମିଳିବ ବୋଲି ଆଶା କରାଯାଉଛି।ତ୍ରୁଟିମୁକ୍ତ ଓ ଗୁଣାତ୍ମକ ପାଠ୍ୟପୁସ୍ତକ ପ୍ରକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ ଜିଲ୍ଲାକୁ ସୀମିତ ସଂଖ୍ୟାରେ ପାଠ୍ୟପୁସ୍ତକ ପଠାଯିବ।

ଏହି ପୁସ୍ତକଗୁଡ଼ିକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯାଞ୍ଚ କରି ସେଥିରେ କୌଣସି ତ୍ରୁଟି କିମ୍ବା ଅସଙ୍ଗତି ରହିଛି କି ନାହିଁ ଚିହ୍ନଟ କରିବେ। ସେମାନଙ୍କ ମତାମତ ଆଧାରରେ ଆବଶ୍ୟକ ସଂଶୋଧନ କରାଯିବ।ସଙ୍କେତ ଚିହ୍ନ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପାଠ୍ୟବସ୍ତୁ ସମ୍ବନ୍ଧୀୟ ଅତିରିକ୍ତ ସୂଚନା, ଦୃଶ୍ୟଶ୍ରାବ୍ୟ ଶିକ୍ଷା ସାମଗ୍ରୀ, ଶିକ୍ଷଣ ସହାୟକ ଉପାଦାନ ଏବଂ ଅନ୍ୟାନ୍ୟ ଅଧ୍ୟୟନ ସମ୍ବନ୍ଧୀୟ ତଥ୍ୟ ସହଜରେ ପାଇପାରିବେ।ଶିକ୍ଷା ବିଭାଗର ଏହି ନୂତନ ପଦକ୍ଷେପ ଦ୍ୱାରା ପାଠ୍ୟପୁସ୍ତକର ମାନ ବୃଦ୍ଧି ପାଇବା ସହ ଶିକ୍ଷା ବ୍ୟବସ୍ଥା ଅଧିକ ଆଧୁନିକ ଓ ଛାତ୍ରଛାତ୍ରୀଙ୍କ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *