ନ୍ୟୁଜ ଡେକ୍ସ : ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ପାଳନ କରାଯାଉଛି। କ୍ରୀଡ଼ା, ସ୍ୱାସ୍ଥ୍ୟ ଓ ସୌହାର୍ଦ୍ଦପୂର୍ଣ୍ଣ ଜୀବନଶୈଳୀର ବାର୍ତ୍ତା ପ୍ରଚାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ ୨୩ ତାରିଖରେ ଏହି ଦିବସ ପାଳନ କରାଯାଏ।୧୮୯୪ ମସିହା ଜୁନ ୨୩ ତାରିଖରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଗଠିତ ହୋଇଥିଲା। ଏହାର ସ୍ମୃତି ରକ୍ଷା ପାଇଁ ୧୯୪୮ ମସିହାରୁ ଏହି ଦିନକୁ ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ଭାବେ ପାଳନ କରାଯାଉଛି।
ଖେଳଧୂଳା ମାଧ୍ୟମରେ ଶାରୀରିକ ସୁସ୍ଥତା, ମାନସିକ ବିକାଶ ଏବଂ ମାନବିକ ମୂଲ୍ୟବୋଧକୁ ପ୍ରୋତ୍ସାହନ ଦେବା ଏହାର ପ୍ରମୁଖ ଉଦ୍ଦେଶ୍ୟ।ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ବୟସ, ଲିଙ୍ଗ ଓ ଯୋଗ୍ୟତା ନିର୍ବିଶେଷରେ ସମସ୍ତଙ୍କୁ ଖେଳରେ ଭାଗ ନେବା ପାଇଁ ଉତ୍ସାହିତ କରିବା। ସେହିପରି ଦୈନନ୍ଦିନ ଜୀବନରେ ଖେଳ ଓ ବ୍ୟାୟାମର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ମଧ୍ୟ ଏହାର ଅନ୍ୟତମ ଲକ୍ଷ୍ୟ।ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ ଅବସରରେ ବିଶ୍ୱର ଅନେକ ଦେଶରେ ଦୌଡ଼ ପ୍ରତିଯୋଗିତା ସହ ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ଏଥିସହ ପ୍ରଦର୍ଶନୀ, ସଙ୍ଗୀତ କାର୍ଯ୍ୟକ୍ରମ ଓ ଶିକ୍ଷାମୂଳକ ଆଲୋଚନାଚକ୍ର ମଧ୍ୟ ଆୟୋଜିତ ହେଉଛି।ତଥ୍ୟ ଅନୁଯାୟୀ, ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ପାଇଁ ଯେତିକି ଶାରୀରିକ କ୍ରିୟାକଳାପ ଆବଶ୍ୟକ, ପ୍ରାୟ ୮୦ ପ୍ରତିଶତ ଯୁବକ ଓ ଯୁବତୀ ସେତିକି କରୁନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଆଜିର ଦିନରେ ସମସ୍ତଙ୍କୁ ନିୟମିତ ବ୍ୟାୟାମ, ଖେଳକୁଦ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରିବା ପାଇଁ ଆହ୍ୱାନ କରାଯାଇଛି।ଅନ୍ତର୍ଜାତୀୟ ଅଲିମ୍ପିକ ଦିବସ କେବଳ ଏକ କ୍ରୀଡ଼ା ଉତ୍ସବ ନୁହେଁ, ବରଂ ସୁସ୍ଥ, ସକ୍ରିୟ ଓ ସକାରାତ୍ମକ ଜୀବନ ଗଠନ ପାଇଁ ଏକ ବିଶ୍ୱବ୍ୟାପୀ ସନ୍ଦେଶ ମଧ୍ୟ।

