Wed. Jun 24th, 2026

ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଘଟଣାକ୍ରମ ସାମ୍ନାକୁ ଆସିଛି। ବିଧାନସଭା ନିର୍ବାଚନ ପରଠାରୁ ତୃଣମୂଳ କଂଗ୍ରେସ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷ ଏବେ ଖୋଲା ବିଦ୍ରୋହର ରୂପ ନେଇଥିବା ଚର୍ଚ୍ଚା ହେଉଛି। ଏହି ପରିସ୍ଥିତି ମଧ୍ୟରେ ଦଳ ମୁଖ୍ୟ ମମତା ବାନାର୍ଜୀ କଠୋର ପଦକ୍ଷେପ ନେଇ ଏକାକାଳୀନ ଆଠ ଜଣ ବରିଷ୍ଠ ନେତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।ଦଳ ବିରୋଧୀ କାର୍ଯ୍ୟକଳାପ ଏବଂ ସଂଗଠନ ବିରୋଧରେ କାମ କରିବା ଅଭିଯୋଗରେ ଫିରହାଦ ହାକିମ, ଅରୂପ ବିଶ୍ୱାସ, ଜାଭେଦ ଅହମ୍ମଦ ଖାନ, ଅରୂପ ରାୟ, ରଥୀନ ଘୋଷ, ବିପ୍ଳବ ମିତ୍ର, ସବିନା ୟାସମିନ ଏବଂ ସ୍ନେହାଶିଷ ଚକ୍ରବର୍ତ୍ତୀଙ୍କୁ ଦଳରୁ ବାଦ ଦିଆଯାଇଛି।

ସୂଚନା ଅନୁଯାୟୀ, ପ୍ରଥମେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ଏବଂ କିଛି ଘଣ୍ଟା ପରେ ବହିଷ୍କାର ନିଷ୍ପତ୍ତି ଘୋଷଣା କରାଯାଇଥିଲା।ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ବହିଷ୍କୃତ ନେତାମାନେ ଗତକାଲି ମମତା ବାନାର୍ଜୀଙ୍କୁ ଦଳର ସର୍ବୋଚ୍ଚ ପଦରୁ ହଟାଇବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରିଥିଲେ। ରିତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଏକ ବିଦ୍ରୋହୀ ଗୋଷ୍ଠୀ ଦଳ ପାଇଁ ନୂତନ ନେତୃତ୍ୱ ଗଠନର ଘୋଷଣା ମଧ୍ୟ କରିଥିଲା।ଏହି ଗୋଷ୍ଠୀ ମମତା ବାନାର୍ଜୀଙ୍କ ସ୍ଥାନରେ ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ଦଳର ନୂତନ ଅଧ୍ୟକ୍ଷ ଭାବେ ଘୋଷଣା କରିଥିବା ଦାବି କରିଥିଲା। ସେହିପରି ଅରୂପ ବିଶ୍ୱାସ ଏବଂ ଫିରହାଦ ହାକିମଙ୍କୁ ଉପାଧ୍ୟକ୍ଷ ପଦ ଦିଆଯାଇଥିବା ସୂଚନା ମଧ୍ୟ ପ୍ରକାଶ ପାଇଥିଲା। ଏହା ସହ ତିରିଶ ସଦସ୍ୟ ବିଶିଷ୍ଟ ଏକ ଜାତୀୟ କାର୍ଯ୍ୟକାରିଣୀ ଗଠନ କରାଯାଇଥିବା ଘୋଷଣା କରାଯାଇଥିଲା।

ବିଦ୍ରୋହୀ ନେତାମାନଙ୍କ ପକ୍ଷରୁ କୁହାଯାଇଥିଲା ଯେ ଅରୂପ ରାୟଙ୍କୁ ସର୍ବସମ୍ମତିକ୍ରମେ ନୂତନ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏହି ଘୋଷଣା ପରେ ଦଳ ମଧ୍ୟରେ ଅସ୍ଥିରତା ବଢ଼ିଥିଲା ଏବଂ ରାଜନୈତିକ ପରିବେଶ ଆହୁରି ଉତ୍ତପ୍ତ ହୋଇଯାଇଥିଲା।ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଛାଡ଼ିବା ପରେ ମମତା ବାନାର୍ଜୀ ୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ଗଠନ କରିଥିଲେ। ସେବେଠାରୁ ସେ ଦଳର ମୁଖ୍ୟ ନେତୃତ୍ୱରେ ରହିଆସିଛନ୍ତି। ତେବେ ବର୍ତ୍ତମାନର ଏହି ବିବାଦ ଏବଂ ବହିଷ୍କାର ଘଟଣା ଦଳର ଭବିଷ୍ୟତ ରାଜନୀତି ଉପରେ କିପରି ପ୍ରଭାବ ପକାଇବ, ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *