Wed. Jun 24th, 2026

ନ୍ୟୁଜ ଡେକ୍ସ : ଦେଶର ସମ୍ମାନଜନକ ପଦ୍ମ ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଚରଣ ହେମ୍ବ୍ରମଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିବାବେଳେ କଳା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶରତ ପାତ୍ର ଓ ସୀମାଞ୍ଚଳ ପାତ୍ରଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତରେ ଆୟୋଜିତ ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ୬୫ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି।

ଏଥିରେ ୨ ଜଣଙ୍କୁ ପଦ୍ମବିଭୂଷଣ, ୭ ଜଣଙ୍କୁ ପଦ୍ମଭୂଷଣ ଏବଂ ୫୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି।କଟକ ଜିଲ୍ଲାର ନୂଆପାଟଣା ମାଣିଆବନ୍ଧ ଅଞ୍ଚଳର ପ୍ରଖ୍ୟାତ ହସ୍ତତନ୍ତ ବୁଣାକାର ଶରତ ପାତ୍ର ଇକତ ଓ ବାନ୍ଧକଳା କ୍ଷେତ୍ରରେ ନିଜର ଅସାଧାରଣ ଦକ୍ଷତା ପାଇଁ ପରିଚିତ। ତାଙ୍କ ଦୀର୍ଘ ବର୍ଷର ସାଧନା ଓ ପାରମ୍ପରିକ କଳାର ସଂରକ୍ଷଣ ପାଇଁ ଏହି ସମ୍ମାନ ଦିଆଯାଇଛି।ସେହିପରି ଗଞ୍ଜାମର ପ୍ରସିଦ୍ଧ ଲୋକକଳାକାର ସୀମାଞ୍ଚଳ ପାତ୍ର ଲୋକକଳାର ପ୍ରଚାର ଓ ପ୍ରସାର ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଅବଦାନକୁ ସ୍ୱୀକୃତି ଦେଇ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି।ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣ ହେମ୍ବ୍ରମଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଛି। ଆଦିବାସୀ ସମାଜର ଭାଷା, ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ତାଙ୍କର ନିଷ୍ଠାପୂର୍ଣ୍ଣ ପ୍ରୟାସକୁ ଦେଶ ସମ୍ମାନ ଜଣାଇଛି।

ଏଥର ପଦ୍ମଭୂଷଣ ସମ୍ମାନ ପାଇଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଶିବୁ ସୋରେନ ଓ ଭି. କେ. ମାଲହୋତ୍ରାଙ୍କୁ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଛି। ସେହିପରି ଅଲ୍କା ୟାଗ୍ନିକ, ମାମୁଟ୍ଟି, ଭଗତ ସିଂ କୋସିଆରି, ଉଦୟ କୋଟକ ଓ ବିଜୟ ଅମୃତରାଜଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି।ପଦ୍ମଶ୍ରୀ ସମ୍ମାନ ପାଇଥିବା କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ରୋହିତ ଶର୍ମା, ହରମନପ୍ରୀତ କୌର, ପ୍ରବୀଣ କୁମାର ଏବଂ ସବିତା ପୂର୍ଣ୍ଣିୟା ରହିଛନ୍ତି। ଏହାଛଡ଼ା ମାଧବନ, ପ୍ରସେନଜିତ ଚାଟାର୍ଜୀ, ଅନିଲ ରସ୍ତୋଗି ଓ ଅରବିନ୍ଦ ବୈଦ୍ୟଙ୍କୁ ମଧ୍ୟ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।ଓଡ଼ିଶାର ତିନି ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏହି ଜାତୀୟ ସମ୍ମାନ ମିଳିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସେମାନଙ୍କ ସଫଳତା ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତିକୁ ଜାତୀୟ ସ୍ତରରେ ଆହୁରି ଗୌରବାନ୍ୱିତ କରିଛି।

Leave a Reply

Your email address will not be published. Required fields are marked *