ନ୍ୟୁଜ ଡେକ୍ସ : ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରର ଆଲିଗଞ୍ଜ ଅଞ୍ଚଳରେ ଥିବା ଏକ ତିନି ମହଲା କୋଠାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଜଣ ଆହତ ହୋଇଛନ୍ତି। ଏହି ହୃଦୟବିଦାରକ ଘଟଣା ପରେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।ଅଗ୍ନିକାଣ୍ଡ ଘଟଣାରେ ଅବହେଳା ଅଭିଯୋଗରେ କୋଠାର ମାଲିକମାନଙ୍କ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି।
ସେହିପରି ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗ ଓ ବିକାଶ ପ୍ରାଧିକରଣର ଚାରି ଜଣ ଅଧିକାରୀଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିଛନ୍ତି। ଏହି ଦଳକୁ ସାତ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କ ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ପଚାଶ ହଜାର ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଗ୍ନିକାଣ୍ଡ ଘଟିଥିବା କୋଠା ବିରୋଧରେ ବେଆଇନ ନିର୍ମାଣ ଅଭିଯୋଗରେ ୨୦୧୬ ମସିହାରେ ଭଙ୍ଗାଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦେଶ ପ୍ରତ୍ୟାହାର କରାଯାଇଥିଲା। ବର୍ତ୍ତମାନ ଏହି କୋଠା ସମ୍ପର୍କିତ ସମସ୍ତ ପୁରୁଣା ଦସ୍ତାବିଜ ଏବଂ ଅନୁମତିପତ୍ରର ଯାଞ୍ଚ ଚାଲିଛି।ଅଗ୍ନିକାଣ୍ଡରେ ଆହତ ହୋଇଥିବା ଅଧିକାଂଶ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥିବା ବେଳେ ଅନେକଙ୍କୁ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଛି। ଏହି ଘଟଣା ପରେ ସହରରେ ଶୋକର ଛାୟା ଖେଳିଯାଇଥିବା ବେଳେ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଓ ଅବହେଳାକାରୀ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ସ୍ପଷ୍ଟ କରିଛନ୍ତି।

