ନ୍ୟୁଜ ଡେକ୍ସ : ଆସନ୍ତା ଜୁଲାଇ ମାସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳା ପାଇଁ ପୂର୍ବରୁ ଭାରତୀୟ ଦଳ ଘୋଷଣା ହୋଇସାରିଥିବାବେଳେ ସୋମବାର ଇଂଲଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ମଧ୍ୟ ଦଳ ଘୋଷଣା କରାଯାଇଛି। ସତର ଜଣିଆ ଦଳର ନେତୃତ୍ୱ ହ୍ୟାରୀ ବ୍ରୁକ୍ଙ୍କୁ ଦିଆଯାଇଛି।ଆହତ ସମସ୍ୟା କାରଣରୁ ଦୁଇ ପ୍ରମୁଖ ଦ୍ରୁତ ବୋଲର ବ୍ରାଇଡନ କାର୍ସ ଓ ଜେମି ଓଭର୍ଟନ ଏହି ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି।
ତେବେ ଗତ ବିଶ୍ୱକପ୍ରେ ସୁଯୋଗ ପାଇନଥିବା ସୋନି ବେକର, ଜୋର୍ଡାନ କକ୍ସ ଏବଂ ସାକିବ୍ ମେହ୍ମୁଦ ପୁଣିଥରେ ଦଳକୁ ଫେରିଛନ୍ତି। ଏହା ସହିତ ଯୁବ ଅଲ୍ରାଉଣ୍ଡର ଜେମ୍ସ କୋଲ୍ସ ପ୍ରଥମଥର ପାଇଁ ଜାତୀୟ ଦଳରେ ସ୍ଥାନ ପାଇଛନ୍ତି।ଗତ ବାର ମାସ ଧରି ବିଭିନ୍ନ ଟ୍ୱେଣ୍ଟି-୨୦ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଜେମ୍ସ କୋଲ୍ସଙ୍କୁ ଏଥର ଆନ୍ତର୍ଜାତିକ ସ୍ତରରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିଛି। ତାଙ୍କ ସାମିଲ ହେବା ଇଂଲଣ୍ଡ ଦଳକୁ ଆହୁରି ସନ୍ତୁଳିତ କରିବ ବୋଲି ଆଶା କରାଯାଉଛି।ଅନ୍ୟପଟେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିବ। ଜୁନ୍ ୨୬ ଓ ୨୮ ତାରିଖରେ ଏହି ଦୁଇ ମ୍ୟାଚ୍ ଆୟୋଜିତ ହେବ। ଆୟରଲାଣ୍ଡ ଦଳର ନେତୃତ୍ୱ ୱିକେଟ୍ରକ୍ଷକ ଲୋର୍କାନ ଟକ୍କର ନେବେ।ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ପରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିବ।
ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଚେଷ୍ଟର-ଲି-ଷ୍ଟ୍ରିଟ୍ରେ ଖେଳାଯିବ। ଏହାପରେ ଜୁଲାଇ ୪ରେ ମାଞ୍ଚେଷ୍ଟର, ୭ରେ ନଟିଂହାମ୍, ୯ରେ ବ୍ରିଷ୍ଟଲ ଏବଂ ୧୧ରେ ସାଉଥାମ୍ପଟନରେ ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ ଅନୁଷ୍ଠିତ ହେବ।ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ହେବାକୁ ଥିବା ଏହି ଶୃଙ୍ଖଳାକୁ ନେଇ ବିଶ୍ୱ କ୍ରିକେଟ୍ର ନଜର ରହିଛି। ଉଭୟ ଦଳରେ ଅନୁଭବୀ ଓ ଯୁବ ଖେଳାଳିଙ୍କ ସମନ୍ୱୟ ଥିବାରୁ ଦର୍ଶକମାନେ ଏକ ରୋମାଞ୍ଚକର ଶୃଙ୍ଖଳା ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ମୁକାବିଲା ଆଗାମୀ ବଡ଼ ପ୍ରତିଯୋଗିତା ପାଇଁ ଉଭୟ ଦଳର ପ୍ରସ୍ତୁତିର ମାପକାଠି ଭାବେ ମଧ୍ୟ ବିବେଚିତ ହେବ।

