ନ୍ୟୁଜ ଡେକ୍ସ : ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ସୁରକ୍ଷା ଓ ନିରାପତ୍ତାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ପୂର୍ବତଟ ରେଳପଥ ନିଜ ସୀମା ମଧ୍ୟରେ ଥିବା ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୫୦୦ରୁ ଅଧିକ ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ସଫଳତାର ସହ ସ୍ଥାପନ କରିଛି। ଏହା ରେଳ ଚଳାଚଳ, ରେଳ ସମ୍ପତ୍ତି ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ନଜରଦାରି ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି।
ଏହି କ୍ୟାମେରାଗୁଡ଼ିକୁ ଷ୍ଟେସନ ପରିସର, ଲେଭେଲ କ୍ରସିଂ, ମାର୍ଶାଲିଂ ୟାର୍ଡ, ସେତୁ, ନିଛାଟିଆ ରେଳଧାରଣା ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନରେ ରଣନୀତିକ ଭାବେ ସ୍ଥାପନ କରାଯାଇଛି। ସମ୍ପୂର୍ଣ୍ଣ ସୌରଶକ୍ତିରେ ପରିଚାଳିତ ଏହି ଅତ୍ୟାଧୁନିକ ସିସିଟିଭି ବ୍ୟବସ୍ଥା ୨୪ ଘଣ୍ଟିଆ ନିରବଚ୍ଛିନ୍ନ ନଜରଦାରି ସୁବିଧା ପ୍ରଦାନ କରୁଛି।ଏହି ରିଅଲ୍-ଟାଇମ୍ ନଜରଦାରି ବ୍ୟବସ୍ଥା ରେଳ ଅଧିକାରୀ ଓ ସୁରକ୍ଷା ସଂସ୍ଥାଗୁଡ଼ିକୁ ବେଆଇନ ପ୍ରବେଶ, କେବୁଲ ଚୋରି, ଭଙ୍ଗାରୁଜା, ପଥରମାଡ଼ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପକୁ ରୋକିବା ଓ ଚିହ୍ନଟ କରିବାରେ ସହାୟତା କରୁଛି। ଏହା ସହ ରେକର୍ଡ ହୋଇଥିବା ଫୁଟେଜ୍ ତୁରନ୍ତ ତଦନ୍ତ, ଦ୍ରୁତ ପ୍ରତିକ୍ରିୟା ଓ ଆଇନର ପ୍ରଭାବଶାଳୀ ପ୍ରୟୋଗରେ ସହଯୋଗ କରୁଛି।ଅକ୍ଷୟ ସୌରଶକ୍ତିର ବ୍ୟବହାର ଯୋଗୁଁ ଏହି ସିସିଟିଭି ନେଟୱାର୍କ ବିନା ବିଦ୍ୟୁତ୍ ଖର୍ଚ୍ଚରେ ଏବଂ ଅତି କମ୍ ରକ୍ଷଣାବେକ୍ଷଣରେ କାର୍ଯ୍ୟ କରୁଛି।
ଫଳରେ ଏହା ଏକ ସ୍ୱଳ୍ପ ଖର୍ଚ୍ଚୀ ଓ ପରିବେଶ ଅନୁକୂଳ ବ୍ୟବସ୍ଥାରେ ପରିଣତ ହୋଇଛି।ଏହି ସଫଳତାକୁ ଆଧାର କରି ପୂର୍ବତଟ ରେଳପଥ ଅକ୍ଟୋବର ୨୦୨୬ ସୁଦ୍ଧା ୨ ହଜାରରୁ ଅଧିକ ସୌରଶକ୍ତି ଚାଳିତ ସିସିଟିଭି କ୍ୟାମେରା ସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ପୂରଣ ହେଲେ ପୂର୍ବତଟ ରେଳପଥ ଭାରତୀୟ ରେଳବାଇର ପ୍ରଥମ ଜୋନ୍ ଭାବେ ଏହି ସଫଳତା ହାସଲ କରି ପ୍ରଯୁକ୍ତିବିଦ୍ୟା ଆଧାରିତ ରେଳ ସୁରକ୍ଷା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ। ଏହି ପଦକ୍ଷେପ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ଅନୁଯାୟୀ ସୁରକ୍ଷିତ, ସ୍ମାର୍ଟ ଓ ସ୍ଥାୟୀ ରେଳ ନେଟୱାର୍କ ଗଠନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରେଳପଥ ପକ୍ଷରୁ କୁହାଯାଇଛି।

