Wed. Jul 1st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ରହିଥିବାରୁ ଲଗାତାର ବର୍ଷା ଜାରି ରହିଛି। ଗତକାଲିଠାରୁ ଆରମ୍ଭ ହୋଇଥିବା ବର୍ଷା ଆଜି ମଧ୍ୟ ଜାରି ରହିଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଦୀର୍ଘଦିନର ଗୁଳୁଗୁଳି ଓ ପ୍ରବଳ ଗରମରୁ ଲୋକମାନେ ଆଶ୍ୱସ୍ତି ପାଇଥିବାବେଳେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି।

ଏପଟେ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଲଘୁଚାପର ପ୍ରଭାବରେ ଆସନ୍ତା ୬ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଏହାକୁ ନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି।ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଆଉ ୬ଟି ଜିଲ୍ଲା ପାଇଁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।ଏହି ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ଚମକ ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଛି।

Leave a Reply

Your email address will not be published. Required fields are marked *