ନ୍ୟୁଜ ଡେକ୍ସ : ରାଜ୍ୟରେ ଡାକ୍ତରଙ୍କ ୧୦ ଦଫା ଦାବିକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମସା)ର ଆହ୍ୱାନକ୍ରମେ ଜୁନିଅର ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରି ପ୍ରତିବାଦ ଜାରି ରଖିଛନ୍ତି। ଜୁନିଅର ଡାକ୍ତର ସଂଘ ପକ୍ଷରୁ ସରକାର ଶୀଘ୍ର ଦାବି ପୂରଣ ନ କଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି।ଜାତୀୟ ଡାକ୍ତର ଦିବସ ଅବସରରୁ ଓମସା ପକ୍ଷରୁ ଅନିର୍ଦ୍ଦିଷ୍ଟକାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରାଯାଇଛି।
ଗତ ଦେଢ଼ ବର୍ଷ ଧରି ରାଜ୍ୟ ସରକାର ଡାକ୍ତରଙ୍କ ଦାବି ପୂରଣ ଦିଗରେ କୌଣସି ଠୋସ ପଦକ୍ଷେପ ନେଇନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଓମସା କହିଛି। ଏହାଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ବ୍ୟାହତ ହେବାର ଆଶଙ୍କା ଦେଖାଦେଇଛି।ଆନ୍ଦୋଳନ ପୂର୍ବରୁ ରାଜ୍ୟ ସରକାର ଓମସା ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ। ତେବେ ସରକାରଙ୍କ ଆଶ୍ୱାସନରେ ଭରସା ନଥିବାରୁ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି।ବିଳମ୍ବିତ ରାତିରେ ଓମସାର ଆକ୍ସନ କମିଟିର ଜରୁରୀ ବୈଠକ ପରେ ସଭାପତି ଡାକ୍ତର କିଶୋର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ ପ୍ରଧାନ କହିଛନ୍ତି, ପୂର୍ବରୁ ଘୋଷଣା କରାଯାଇଥିବା ଆନ୍ଦୋଳନ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିଛି।
ଡାକ୍ତରଙ୍କ ଦାବି ସମାଧାନ ପାଇଁ ସରକାର ଗଠନ କରିଥିବା କମିଟିର ବୈଠକ ମଧ୍ୟ ବସିପାରି ନଥିବା ସେମାନେ ଅଭିଯୋଗ କରିଛନ୍ତି।ପ୍ରତିବାଦ କରୁଥିବା ଡାକ୍ତରଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଗଲେ ପ୍ରଥମେ ଜିଲ୍ଲାସ୍ତରରେ ଏସ୍ପି କାର୍ଯ୍ୟାଳୟ କିମ୍ବା ସ୍ଥାନୀୟ ଥାନା ଘେରାଉ କରାଯିବ। ଆବଶ୍ୟକ ପଡ଼ିଲେ ଜେଲ୍ ଭରୋ ଆନ୍ଦୋଳନ ମଧ୍ୟ କରାଯିବ ବୋଲି ଓମସା ପକ୍ଷରୁ ଚେତାବନୀ ଦିଆଯାଇଛି।ଅନ୍ୟପକ୍ଷରେ, କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଜୁନିଅର ଡାକ୍ତର ସଂଘ ମଧ୍ୟ ଓମସାର ଆନ୍ଦୋଳନକୁ ସମର୍ଥନ ଜଣାଇଛି। ଜୁନିଅର ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବାବେଳେ ସରକାର ତୁରନ୍ତ ଦାବିଗୁଡ଼ିକର ସମାଧାନ ନ କଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

