Thu. Jul 2nd, 2026

ନ୍ୟୁଜ ଡେକ୍ସ : ଦେଶରେ ବଢ଼ୁଥିବା ସାଇବର ଠକେଇ ଏବଂ ଡିଜିଟାଲ୍ ଅପରାଧକୁ ଦୃଷ୍ଟିରେ ରଖି ହ୍ୱାଟସ୍‌ଆପ୍‌ର ଆଗାମୀ ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଫିଚର ଦେଶର ସୁରକ୍ଷା ବ୍ୟବସ୍ଥା ଏବଂ ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା କରି ସରକାର ହ୍ୱାଟସ୍‌ଆପ୍‌ର ମୂଳ କମ୍ପାନୀ ମେଟାକୁ ନୋଟିସ୍ ଜାରି କରିଛନ୍ତି।ହ୍ୱାଟସ୍‌ଆପ୍‌ ଏଭଳି ଏକ ନୂଆ ଫିଚର ଆଣିବାକୁ ଯାଉଛି, ଯେଉଁଥିରେ ବ୍ୟବହାରକାରୀମାନେ ନିଜର ମୋବାଇଲ୍ ନମ୍ବର ପରିବର୍ତ୍ତେ ୟୁଜରନେମ୍ ମାଧ୍ୟମରେ ଚାଟିଂ ଓ କଲିଂ କରିପାରିବେ।

ଏହାଦ୍ୱାରା ଫୋନ୍ ନମ୍ବର ସେୟାର କରିବାର ଆବଶ୍ୟକତା ରହିବ ନାହିଁ। କମ୍ପାନୀ ଏହାକୁ ବ୍ୟବହାରକାରୀଙ୍କ ଗୋପନୀୟତା ପାଇଁ ଲାଭଦାୟକ ବୋଲି କହୁଥିବା ବେଳେ ସରକାରୀ ଏଜେନ୍ସିମାନେ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।ସରକାରଙ୍କ ମତରେ, ଫୋନ୍ ନମ୍ବର ଲୁଚି ରହିଲେ ସାଇବର ଅପରାଧୀ ଓ ଠକମାନଙ୍କୁ ଚିହ୍ନଟ କରିବା ଏବଂ ଟ୍ରାକ୍ କରିବା ପୋଲିସ ଓ ତଦନ୍ତକାରୀ ସଂସ୍ଥାଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଏହାଦ୍ୱାରା ନକଲି ଆକାଉଣ୍ଟ ଖୋଲି ଆର୍ଥିକ ଠକେଇ, ଗୁଜବ ପ୍ରଚାର ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବଢ଼ିବାର ଆଶଙ୍କା ରହିଛି।ଏହି ପ୍ରସଙ୍ଗରେ ସରକାର ମେଟାକୁ ସ୍ପଷ୍ଟୀକରଣ ମାଗିଛନ୍ତି।

ନୂଆ ଫିଚର ଲାଗୁ ହେବା ପରେ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଙ୍କୁ କମ୍ପାନୀ କିପରି ସହଯୋଗ କରିବ ଏବଂ ଜରୁରୀ ପରିସ୍ଥିତିରେ ଅପରାଧୀଙ୍କୁ କିପରି ଚିହ୍ନଟ କରାଯିବ, ସେନେଇ ବିସ୍ତୃତ ଉତ୍ତର ଦେବାକୁ କୁହାଯାଇଛି।ଭାରତର ପ୍ରଚଳିତ ଆଇଟି ନିୟମ ଅନୁଯାୟୀ, ଆବଶ୍ୟକ ସମୟରେ କୌଣସି ଆପତ୍ତିଜନକ ବାର୍ତ୍ତାର ମୂଳ ଉତ୍ସ ସମ୍ପର୍କରେ ସୂଚନା ଦେବା ପ୍ଲାଟଫର୍ମଗୁଡ଼ିକ ପାଇଁ ବାଧ୍ୟତାମୂଳକ। ତେଣୁ ହ୍ୱାଟସ୍‌ଆପ୍‌ର ଏହି ନୂଆ ୟୁଜରନେମ୍ ଫିଚର ଭାରତୀୟ ନିୟମ ସହ ସାମଞ୍ଜସ୍ୟ ରଖିବ କି ନାହିଁ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *