Fri. Jul 3rd, 2026

ନ୍ୟୁଜ ଡେକ୍ସ : ଭାରତର ସାଂସ୍କୃତିକ ପରମ୍ପରା ସହ ବସ୍ତ୍ର ଶିଳ୍ପର ସମ୍ପର୍କ ଶତାବ୍ଦୀ ପୁରୁଣା। କାଶ୍ମୀରର ପଶ୍ମିନା, ଆସାମର ମୁଙ୍ଗା ସିଲ୍କ, ତାମିଲନାଡୁର କାଞ୍ଜିଭରମ୍, ଚାନ୍ଦେରୀର ବୁଣାକାରୀ ଓ ସୁରଟର ବସ୍ତ୍ର ଶିଳ୍ପ ଦେଶର ସମୃଦ୍ଧ ଐତିହ୍ୟକୁ ପ୍ରତିଫଳିତ କରିଥାଏ। ବର୍ତ୍ତମାନ ଏହି କ୍ଷେତ୍ର ଦେଶର ଜିଡିପିରେ ୨.୩ ପ୍ରତିଶତ, ଶିଳ୍ପ ଉତ୍ପାଦନରେ ୧୩ ପ୍ରତିଶତ ଏବଂ ରପ୍ତାନିରେ ୧୨ ପ୍ରତିଶତ ଅବଦାନ ରଖିବା ସହ ୪.୫ କୋଟି ଲୋକଙ୍କୁ ପ୍ରତ୍ୟକ୍ଷ ଓ ୧୦ କୋଟିରୁ ଅଧିକ ଲୋକଙ୍କୁ ପରୋକ୍ଷ ରୋଜଗାର ଯୋଗାଇ ଆସୁଛି।

ବସ୍ତ୍ର ଉତ୍ପାଦନର ବିଭିନ୍ନ ପର୍ଯ୍ୟାୟ ଅଲଗା ଅଲଗା ରାଜ୍ୟରେ ହେଉଥିବାରୁ ଉତ୍ପାଦନ ଖର୍ଚ୍ଚ ବଢ଼ିବା ସହ ବିଶ୍ୱ ବଜାରକୁ ସମୟରେ ସାମଗ୍ରୀ ପଠାଇବାରେ ସମସ୍ୟା ସୃଷ୍ଟି ହେଉଥିଲା। ଏହାର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୨୧ ଅକ୍ଟୋବରରେ ୪,୪୪୫ କୋଟି ଟଙ୍କା ବ୍ୟୟରେ ପିଏମ୍ ମିତ୍ର ଯୋଜନା ଆରମ୍ଭ କରିଥିଲେ।ପ୍ରଧାନମନ୍ତ୍ରୀଙ୍କ ‘୫ଏଫ୍’ ଭିଜନ୍ ଆଧାରରେ ଏହି ଯୋଜନାରେ ଚାଷରୁ ସୂତା, ସୂତାରୁ କାରଖାନା, କାରଖାନାରୁ ଫ୍ୟାଶନ ଏବଂ ଫ୍ୟାଶନରୁ ବିଦେଶ ପର୍ଯ୍ୟନ୍ତ ସମଗ୍ର ଉତ୍ପାଦନ ପ୍ରକ୍ରିୟାକୁ ଏକ ସ୍ଥାନରେ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ୧୦୦୦ ଏକରରୁ ଅଧିକ ଜମିରେ ନିର୍ମିତ ଏହି ପାର୍କଗୁଡ଼ିକରେ ଆଧୁନିକ ଭିତ୍ତିଭୂମି, ନିରବଚ୍ଛିନ୍ନ ବିଦ୍ୟୁତ୍ ଓ ଜଳ ଯୋଗାଣ ସହ ପରିବେଶ ଅନୁକୂଳ ‘ଜିରୋ ଲିକ୍ୱିଡ୍ ଡିସଚାର୍ଜ’ ବ୍ୟବସ୍ଥା ରହିବ।

ତାମିଲନାଡୁ, ଗୁଜରାଟ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା ଏବଂ ମହାରାଷ୍ଟ୍ରରେ ମୋଟ ୭ଟି ମେଗା ବସ୍ତ୍ର ପାର୍କ ସ୍ଥାପନ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ପାଇଁ ୬୯,୮୯୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିଥିବା ବେଳେ ୨୭,୬୫୮ କୋଟି ଟଙ୍କାର ନିବେଶ ଏବେ ସୁଦ୍ଧା ହୋଇସାରିଛି।ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ପାର୍କରେ ପ୍ରାୟ ୩ ଲକ୍ଷ ଲେଖାଏଁ ସମୁଦାୟ ୨୧ ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି। ବିଶେଷକରି ଗ୍ରାମାଞ୍ଚଳର ମହିଳାମାନଙ୍କ ପାଇଁ ଏହା ନୂଆ ରୋଜଗାରର ସୁଯୋଗ ସୃଷ୍ଟି କରିବ। ସରକାରଙ୍କ ଲକ୍ଷ୍ୟ ହେଉଛି ‘ଭିଜନ ୨୦୩୦’ ଅନୁଯାୟୀ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତକୁ ୩୫୦ ବିଲିୟନ ଡଲାରର ବିଶ୍ୱ ବସ୍ତ୍ର ମହାଶକ୍ତିରେ ପରିଣତ କରିବା।

Leave a Reply

Your email address will not be published. Required fields are marked *