ନ୍ୟୁଜ ଡେକ୍ସ : ବହୁ ପ୍ରତୀକ୍ଷିତ ଶ୍ରୀ ଅମରନାଥ ଯାତ୍ରା-୨୦୨୬ ଗୁରୁବାରଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଜମ୍ମୁର ଭଗବତୀ ନଗରସ୍ଥିତ ଯାତ୍ରୀ ନିବାସ ବେସ୍ କ୍ୟାମ୍ପରୁ ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ପ୍ରଥମ ଦଳର ତୀର୍ଥଯାତ୍ରୀଙ୍କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି।’ହର ହର ମହାଦେବ’ ଏବଂ ‘ବମ୍ ବମ୍ ଭୋଲେ’ ଧ୍ୱନିରେ ସମଗ୍ର ବେସ୍ କ୍ୟାମ୍ପ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତୀର୍ଥଯାତ୍ରୀଙ୍କ କାଫଲା ବାଲତାଲ ଏବଂ ପହଲଗାମ ବେସ୍ କ୍ୟାମ୍ପ ଅଭିମୁଖେ ପ୍ରସ୍ଥାନ କରିଥିଲା।ଯାତ୍ରାର ପ୍ରଥମ ଦିନରେ ଦେଶର ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଭଗବତୀ ନଗର ବେସ୍ କ୍ୟାମ୍ପରେ ପହଞ୍ଚିଥିଲେ। ପ୍ରଶାସନ ପକ୍ଷରୁ ପଞ୍ଜୀକରଣ, ସ୍ୱାସ୍ଥ୍ୟ ପରୀକ୍ଷା ଓ ଅନ୍ୟାନ୍ୟ ଆନୁଷ୍ଠାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ସେମାନଙ୍କୁ ନିର୍ଦ୍ଦିଷ୍ଟ ଯାନବାହନ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା। ସୁରକ୍ଷା ଏଜେନ୍ସିମାନେ ସମଗ୍ର ଯାତ୍ରା କାଫଲା ଉପରେ କଡ଼ା ନଜର ରଖିଥିଲେ।
ସମୁଦ୍ର ପତ୍ତନଠାରୁ ପ୍ରାୟ ୩,୮୮୦ ମିଟର ଉଚ୍ଚତାରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫାକୁ ତୀର୍ଥଯାତ୍ରୀମାନେ ଦୁଇଟି ମାର୍ଗ ଦେଇ ପହଞ୍ଚିବେ। ଅନନ୍ତନାଗ ଜିଲ୍ଲାର ୪୮ କିଲୋମିଟର ଲମ୍ବା ପାରମ୍ପରିକ ନୂନୱାନ-ପହଲଗାମ ମାର୍ଗ ଏବଂ ଗଣ୍ଡେରବାଲ ଜିଲ୍ଲାର ୧୪ କିଲୋମିଟର ଲମ୍ବା ବାଲତାଲ ମାର୍ଗ ଦେଇ ଏହି ଯାତ୍ରା ପରିଚାଳିତ ହେବ। ଉଭୟ ମାର୍ଗରେ ଏକକାଳୀନ ଭାବେ ତୀର୍ଥଯାତ୍ରା ଚାଲିବ ବୋଲି ପ୍ରଶାସନ ସୂଚନା ଦେଇଛି।

