Wed. Jul 1st, 2026

ନ୍ୟୁଜ ଡେକ୍ସ : ମାସର ପ୍ରଥମ ଦିନରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ସରକାର ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡରର ଦର ୧୮୩.୫୦ ଟଙ୍କା ହ୍ରାସ କରିଛନ୍ତି। ଏହାଫଳରେ ପୂର୍ବରୁ ୩,୧୧୩.୫୦ ଟଙ୍କା ଥିବା ସିଲିଣ୍ଡରର ମୂଲ୍ୟ କମି ୨,୯୩୦ ଟଙ୍କାରେ ପହଞ୍ଚିଛି।ତେବେ ୧୪.୨ କିଲୋଗ୍ରାମ ଘରୋଇ ଏଲ୍‌ପିଜି ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

ଘରୋଇ ଗ୍ରାହକମାନେ ପୂର୍ବଭଳି ପୁରୁଣା ଦରରେ ସିଲିଣ୍ଡର ପାଇବେ।ଚଳିତ ବର୍ଷ ପ୍ରଥମ ଥର ପାଇଁ ବାଣିଜ୍ୟିକ ସିଲିଣ୍ଡର ଦରରେ ହ୍ରାସ କରାଯାଇଛି। ବର୍ଷ ଆରମ୍ଭରୁ ଲଗାତାର ଦର ବୃଦ୍ଧି ଯୋଗୁଁ ବ୍ୟବସାୟୀମାନେ ଅଧିକ ଆର୍ଥିକ ଚାପରେ ରହିଥିଲେ।ସୂଚନା ଅନୁସାରେ, ଜାନୁଆରୀ ୨୦୨୬ରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ଦର ୧,୬୯୧.୫୦ ଟଙ୍କା ଥିଲା।

ପରବର୍ତ୍ତୀ ସମୟରେ ଏହି ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଜୁନ୍ ମାସ ସୁଦ୍ଧା ପ୍ରାୟ ଦ୍ୱିଗୁଣିତ ହୋଇଯାଇଥିଲା।ମାର୍ଚ୍ଚ ମାସରେ ଦୁଇଥର ଦର ବୃଦ୍ଧି କରାଯାଇଥିଲା। ମାର୍ଚ୍ଚ ୧ରେ ୨୮ ଟଙ୍କା ଏବଂ ମାର୍ଚ୍ଚ ୭ରେ ୧୧୪.୫୦ ଟଙ୍କା ବୃଦ୍ଧି ହୋଇଥିଲା। ସେହିପରି ମେ ମାସରେ ୯୯୩ ଟଙ୍କା ବୃଦ୍ଧି ପାଇ ଦିଲ୍ଲୀରେ ଏହାର ମୂଲ୍ୟ ୩,୦୭୧.୫୦ ଟଙ୍କାରେ ପହଞ୍ଚିଥିଲା। ପରେ ଜୁନ୍ ୧ରେ ଆଉ ୪୨ ଟଙ୍କା ବୃଦ୍ଧି କରାଯାଇଥିଲା। ଏଭଳି ପରିସ୍ଥିତିରେ ଜୁଲାଇ ମାସରେ ଦର ହ୍ରାସ ବାଣିଜ୍ୟିକ ଗ୍ୟାସ ବ୍ୟବହାରକାରୀଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି।

Leave a Reply

Your email address will not be published. Required fields are marked *