Wed. Jul 1st, 2026

ନ୍ୟୁଜ ଡେକ୍ସ : ଗ୍ରାମୀଣ ନିଯୁକ୍ତି ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣି କେନ୍ଦ୍ର ସରକାର ୧ ଜୁଲାଇରୁ ‘ଭାରତର ବିକାଶ-ନିଯୁକ୍ତି ଏବଂ ଜୀବିକା ମିଶନ (ଗ୍ରାମୀଣ) ଆଇନ, ୨୦୨୫’ କାର୍ଯ୍ୟକାରୀ କରିଛନ୍ତି। ନୂଆ ଆଇନ ଲାଗୁ ହେବା ସହିତ ଗ୍ରାମୀଣ ନିଯୁକ୍ତି ଯୋଜନାରେ ମଜୁରୀ ହାର ବୃଦ୍ଧି କରାଯାଇଛି ଏବଂ ନିଯୁକ୍ତି ଗ୍ୟାରେଣ୍ଟିର ଅବଧି ମଧ୍ୟ ବଢ଼ାଯାଇଛି।ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଦେଶରେ ହାରାହାରି ଦୈନିକ ମଜୁରୀ ୨୯୮.୮ ଟଙ୍କାରୁ ବୃଦ୍ଧି ପାଇ ୩୨୭.୪ ଟଙ୍କାରେ ପହଞ୍ଚିଛି।

ଅର୍ଥାତ୍ ପ୍ରତିଦିନ ହାରାହାରି ୨୮.୬ ଟଙ୍କା ମଜୁରୀ ବୃଦ୍ଧି ହୋଇଛି। ଏହି ନୂଆ ମଜୁରୀ ହାର ୧ ଜୁଲାଇଠାରୁ ଦେଶର ସମସ୍ତ ୩୪ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମଜୁରୀ ଜୋନରେ କାର୍ଯ୍ୟକାରୀ ହୋଇଛି।ନୂଆ ଆଇନ ଅନୁସାରେ ଯୋଗ୍ୟ ଗ୍ରାମୀଣ ପରିବାରମାନଙ୍କୁ ବର୍ଷକୁ ୧୨୫ ଦିନର ମଜୁରୀ ନିଯୁକ୍ତିର ଆଇନଗତ ଗ୍ୟାରେଣ୍ଟି ମିଳିବ। ପୂର୍ବରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏ) ଅଧୀନରେ ବର୍ଷକୁ ୧୦୦ ଦିନର ନିଯୁକ୍ତିର ଗ୍ୟାରେଣ୍ଟି ଥିଲା। ଏବେ ତାହାକୁ ୨୫ ଦିନ ବଢ଼ାଇ ଦିଆଯାଇଛି।ସରକାର ନୂଆ ଯୋଜନା ଅନୁଯାୟୀ ଦୈନିକ ସର୍ବନିମ୍ନ ମଜୁରୀ ୩୦୦ ଟଙ୍କା ନିର୍ଦ୍ଧାରଣ କରିଛନ୍ତି।

ଫଳରେ ଦେଶର କୌଣସି ରାଜ୍ୟରେ ଏହି ଯୋଜନା ଅଧୀନରେ ୩୦୦ ଟଙ୍କାରୁ କମ୍ ମଜୁରୀ ପ୍ରଦାନ କରାଯିବ ନାହିଁ।କେନ୍ଦ୍ର ସରକାରଙ୍କ କହିବା ଅନୁଯାୟୀ, ନୂଆ ଆଇନ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ପରିବାରମାନଙ୍କ ଜୀବନଜୀବିକାକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ସାରା ଦେଶରେ ହାରାହାରି ମଜୁରୀ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଥିବାରୁ ଏହା ଲକ୍ଷାଧିକ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଆର୍ଥିକ ଆଶ୍ୱସ୍ତି ଆଣିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *