Wed. Jul 1st, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାର ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପେଟ୍ରୋଲ ଓ ଡିଜେଲ କ୍ରୟ ଉପରେ ଲାଗୁ ଥିବା ସମସ୍ତ କଟକଣାକୁ ଜୁଲାଇ ୧ ତାରିଖରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ସୋମବାର ଜାରି ହୋଇଥିବା ନିର୍ଦ୍ଦେଶରେ ଏହି ସୂଚନା ଦିଆଯାଇଛି।ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଇନ୍ଧନ ଯୋଗାଣ ଶୃଙ୍ଖଳାରେ ସମ୍ଭାବ୍ୟ ବାଧାକୁ ଦୃଷ୍ଟିରେ ରଖି ଚଳିତ ମାସ ଆରମ୍ଭରେ ଏହି କଟକଣା ଲାଗୁ କରାଯାଇଥିଲା।

ବର୍ତ୍ତମାନ ପରିସ୍ଥିତିର ସମୀକ୍ଷା ପରେ ସରକାର ଏହି ଜରୁରୀକାଳୀନ ବ୍ୟବସ୍ଥାକୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି।ଜୁନ୍ ୧୨ରୁ ଲାଗୁ ହୋଇଥିବା ନିୟମ ଅନୁଯାୟୀ, ଶିଳ୍ପ, ବ୍ୟବସାୟିକ ଓ ସାଂସ୍ଥାନିକ ଗ୍ରାହକମାନେ ସାଧାରଣ ପେଟ୍ରୋଲ ପମ୍ପରୁ ପେଟ୍ରୋଲ କିମ୍ବା ଡିଜେଲ କିଣିପାରୁ ନଥିଲେ। ସେମାନଙ୍କୁ କେବଳ ନିଜସ୍ୱ କଞ୍ଜୁମର ପମ୍ପରୁ ଇନ୍ଧନ ସଂଗ୍ରହ କରିବାକୁ ପଡୁଥିଲା। ଏହାସହ ଜଣେ ଗ୍ରାହକଙ୍କୁ ଦିନକୁ ୨୦୦ ଲିଟରରୁ ଅଧିକ ଡିଜେଲ ବିକ୍ରି ଉପରେ ମଧ୍ୟ କଟକଣା ରହିଥିଲା।

ପେଟ୍ରୋଲିୟମ ମନ୍ତ୍ରାଳୟ ‘ମୋଟର ସ୍ପିରିଟ୍ ଏବଂ ହାଇ ସ୍ପିଡ୍ ଡିଜେଲ୍ ଅର୍ଡର, ୨୦୨୬’ ଜାରି କରି ୯୦ ଦିନ ପାଇଁ ଏହି ନିୟମ ଲାଗୁ କରିଥିଲା। ଆବଶ୍ୟକ ପଡ଼ିଲେ ଏହାର ଅବଧି ବଢ଼ାଇବା କିମ୍ବା ନିର୍ଦ୍ଦିଷ୍ଟ ଗ୍ରାହକ ଓ ଅଞ୍ଚଳକୁ ରିହାତି ଦେବାର ବ୍ୟବସ୍ଥା ମଧ୍ୟ ରହିଥିଲା।ତେବେ ନୂଆ ନିଷ୍ପତ୍ତି ଅନୁଯାୟୀ, ଜୁଲାଇ ୧ରୁ ବାଣିଜ୍ୟିକ ଗ୍ରାହକମାନେ ପୁଣି ସାଧାରଣ ପେଟ୍ରୋଲ ପମ୍ପରୁ ପୂର୍ବଭଳି ପେଟ୍ରୋଲ ଓ ଡିଜେଲ କ୍ରୟ କରିପାରିବେ। ଏହା ଦ୍ୱାରା ଶିଳ୍ପ ଓ ବ୍ୟବସାୟିକ କ୍ଷେତ୍ରକୁ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *