Fri. Jul 3rd, 2026

ନ୍ୟୁଜ ଡେକ୍ସ : ଡିଜିଟାଲ ଇଣ୍ଡିଆ ଅଭିଯାନକୁ ଜୁଲାଇ ୧ ତାରିଖରେ ୧୧ ବର୍ଷ ପୂରଣ ହୋଇଛି। ଏହି ଅବଧି ମଧ୍ୟରେ ଶିକ୍ଷାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଭାରତ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିକୁ ସୁଦୃଢ଼ କରି ପ୍ରଶାସନକୁ ଅଧିକ ସ୍ୱଚ୍ଛ, ସୁଲଭ ଓ ନାଗରିକକୈନ୍ଦ୍ରିକ କରିବାରେ ସଫଳ ହୋଇଛି। ବିଶେଷ କରି ଜାତୀୟ ଶିକ୍ଷା ନୀତି–୨୦୨୦ ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି।ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକ୍ରମ ଭାବେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପରିଚାଳିତ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ସ (ଏବିସି) ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ କ୍ରେଡିଟ୍‌କୁ ଡିଜିଟାଲ ଭାବେ ସଂରକ୍ଷଣ, ସ୍ଥାନାନ୍ତର ଓ ବ୍ୟବହାର କରିବାର ସୁବିଧା ଦେଉଛି।

ଅପାର ଆଇଡି ସହ ସମନ୍ୱୟ ମାଧ୍ୟମରେ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଜୀବନବ୍ୟାପୀ ଏକ ସ୍ୱତନ୍ତ୍ର ଶିକ୍ଷାଗତ ପରିଚୟ ମିଳୁଛି।ବର୍ତ୍ତମାନ ସୁଦ୍ଧା ୨,୯୬୩ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଏବିସି ପ୍ଲାଟଫର୍ମରେ ପଞ୍ଜୀକୃତ ହୋଇଥିବାବେଳେ ୨୬.୨୯ କୋଟିରୁ ଅଧିକ ଅପାର ଆଇଡି ସୃଷ୍ଟି ହୋଇଛି। ସେହିପରି ୧୧୦.୬୫ କୋଟିରୁ ଅଧିକ ଶିକ୍ଷାଗତ ରେକର୍ଡ ଡିଜିଟାଲ ଭାବେ ଅପଲୋଡ୍ କରାଯାଇଛି। ଏହା ଫଳରେ କାଗଜପତ୍ରର ଆବଶ୍ୟକତା କମିବା ସହ ଶିକ୍ଷାଗତ ପ୍ରଶାସନ ଅଧିକ ସରଳ ହୋଇଛି।ସେହିପରି ନେସନାଲ ଏକାଡେମିକ୍ ଡିପୋଜିଟୋରୀ (ଏନଏଡି) ମାଧ୍ୟମରେ ଡିଗ୍ରୀ, ଡିପ୍ଲୋମା, ମାର୍କସିଟ୍ ଓ ଅନ୍ୟାନ୍ୟ ଶିକ୍ଷାଗତ ପ୍ରମାଣପତ୍ରକୁ ସୁରକ୍ଷିତ ଡିଜିଟାଲ ଫର୍ମାଟରେ ସଂରକ୍ଷଣ ଓ ଯାଞ୍ଚ କରାଯାଉଛି। ଏହା ଭୌତିକ ପ୍ରମାଣପତ୍ର ଉପରେ ନିର୍ଭରଶୀଳତା କମାଇବା ସହ ଦସ୍ତାବିଜ ହଜିଯିବା କିମ୍ବା ନଷ୍ଟ ହେବାର ଆଶଙ୍କାକୁ ମଧ୍ୟ ଦୂର କରିଛି।

ଛତିଶଗଡ଼ର ଅନେକ ଛାତ୍ରଛାତ୍ରୀ ଅପାର ଆଇଡି ଓ ଡିଜିଟାଲ ଶିକ୍ଷା ବ୍ୟବସ୍ଥାର ସୁବିଧାକୁ ପ୍ରଶଂସା କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ଏହା ଯାଞ୍ଚ ପ୍ରକ୍ରିୟାକୁ ସହଜ କରିବା ସହ ସେମିନାର, ସ୍କଲାରସିପ୍, ଇଣ୍ଟର୍ନସିପ୍ ଓ ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟ ପାଇଁ ଆବେଦନକୁ ଅଧିକ ସୁବିଧାଜନକ କରିଛି।ଏବିସି, ଏନଏଡି, ଅପାର ଓ ଡିଜିଲକରର ସମନ୍ୱୟରେ ଏକ ସୁରକ୍ଷିତ ଓ ବିଶ୍ୱସ୍ତ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ଗଠନ ହୋଇଛି। ଡିଜିଟାଲ ଇଣ୍ଡିଆର ଏହି ପଦକ୍ଷେପ ଶିକ୍ଷା ସେବାକୁ ଅଧିକ ଆଧୁନିକ, ସ୍ୱଚ୍ଛ ଓ ଛାତ୍ରଛାତ୍ରୀଙ୍କ ପାଇଁ ସୁଲଭ କରିବା ସହ ବିକଶିତ ଭାରତ ଗଠନ ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରୁଛି।

Leave a Reply

Your email address will not be published. Required fields are marked *