Fri. Jul 3rd, 2026

ନ୍ୟୁଜ ଡେକ୍ସ : ପରିବେଶକୁ ପ୍ଲାଷ୍ଟିକ୍ ବୋତଲ ପ୍ରଦୂଷଣରୁ ସୁରକ୍ଷା ଦେବା ଏବଂ ଡ୍ରେନ୍‌ରେ ବୋତଲ ପକାଇବା ଯୋଗୁଁ ସୃଷ୍ଟି ହେଉଥିବା ଜଳନିଷ୍କାସନ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ୨୦୧୮ ମସିହାରେ ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍ ସ୍ଥାପନ କରିଥିଲା। ଏହି ପ୍ରକଳ୍ପ ପାଇଁ ବିଏମ୍ସି ପ୍ରାୟ ୪୪ ଲକ୍ଷ ୩୫ ହଜାର ଟଙ୍କା ବ୍ୟୟ କରି ସହରର ୫ଟି ପ୍ରମୁଖ ସ୍ଥାନରେ ମେସିନ୍ ଲଗାଇଥିଲା।

ଲୋକଙ୍କୁ ପ୍ଲାଷ୍ଟିକ୍ ବୋତଲ ଠିକ୍ ଭାବେ ନିଷ୍କାସନ କରିବାକୁ ଉତ୍ସାହିତ କରିବା ପାଇଁ ଖାଲି ପାଣି ବୋତଲ ମେସିନ୍‌ରେ ପକାଇଲେ ୧୦ ଟଙ୍କାର ଟକ୍ ଟାଇମ୍ ମିଳିବ ବୋଲି ବ୍ୟବସ୍ଥା କରାଯାଇଥିଲା। ଆରମ୍ଭରେ ଏହାକୁ ଭଲ ସମର୍ଥନ ମିଳିଥିଲେ ମଧ୍ୟ କିଛି ଦିନ ପରେ ମେସିନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିଲା। ରକ୍ଷଣାବେକ୍ଷଣ ପାଇଁ ବ୍ୟବସ୍ଥା ଥିବା ସତ୍ତ୍ୱେ ପ୍ରକଳ୍ପଟି ଦୁଇ ବର୍ଷ ମଧ୍ୟରେ ଅକାର୍ଯ୍ୟକ୍ଷମ ହୋଇଯାଇଥିଲା।ବର୍ତ୍ତମାନ ପ୍ଲାଷ୍ଟିକ୍ ବୋତଲଗୁଡ଼ିକ ମେଟେରିଆଲ୍ ରିକଭରି ଫ୍ୟାସିଲିଟି (ଏମ୍ଆରଏଫ୍)କୁ ପଠାଯାଉଥିବାରୁ ଏହି ମେସିନ୍‌ଗୁଡ଼ିକର ବ୍ୟବହାର ପ୍ରାୟ ବନ୍ଦ ହୋଇଯାଇଛି। ଯେଉଁ ମେସିନ୍ ପରିବେଶ ସୁରକ୍ଷା ପାଇଁ ଲଗାଯାଇଥିଲା, ସେଗୁଡ଼ିକ ଏବେ ନିଜେ ରାସ୍ତାକଡ଼ରେ ପଡ଼ି ଆବର୍ଜନାରେ ପରିଣତ ହୋଇଛି।

କେବଳ ବିଏମ୍ସି ନୁହେଁ, ୨୦୧୮ ମସିହାରେ ପୂର୍ବତଟ ରେଳବାଇ ମଧ୍ୟ ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନରେ ପ୍ଲାଷ୍ଟିକ୍ ରିଭର୍ସ ଭେଣ୍ଡିଂ ମେସିନ୍ ସ୍ଥାପନ କରିଥିଲା। ଭୁବନେଶ୍ୱର ଷ୍ଟେସନର ୧ ଓ ୬ ନମ୍ବର ପ୍ଲାଟଫର୍ମରେ ଲଗାଯାଇଥିବା ଦୁଇଟି ମେସିନ୍ ମଧ୍ୟ ଉଦ୍ଘାଟନର କିଛି ଦିନ ପରେ ଅଚଳ ହୋଇଯାଇଥିଲା। ବର୍ତ୍ତମାନ ଷ୍ଟେସନରେ ସେହି ମେସିନ୍‌ଗୁଡ଼ିକର କୌଣସି ଚିହ୍ନ ମଧ୍ୟ ଦେଖିବାକୁ ମିଳୁନାହିଁ।ଏହି ଘଟଣା ସରକାରୀ ପ୍ରକଳ୍ପର ଯୋଜନା, ରକ୍ଷଣାବେକ୍ଷଣ ଓ ନିରନ୍ତର ପରିଚାଳନା ଉପରେ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ, ପରିବେଶ ସୁରକ୍ଷା ପାଇଁ ସ୍ଥାୟୀ ଓ ପ୍ରଭାବଶାଳୀ ବ୍ୟବସ୍ଥାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି।

Leave a Reply

Your email address will not be published. Required fields are marked *