ନ୍ୟୁଜ ଡେକ୍ସ : ପବିତ୍ର ଅମରନାଥ ଗୁମ୍ଫା ତୀର୍ଥଯାତ୍ରା ପାଇଁ ପହଲଗାମର ନନୱାନ ବେସ୍ କ୍ୟାମ୍ପରୁ ପ୍ରଥମ ତୀର୍ଥଯାତ୍ରୀ ଦଳ ପ୍ରସ୍ଥାନ କରିଛନ୍ତି। ଏହା ସହ ବାବା ବର୍ଫାନୀଙ୍କ ପ୍ରତି ଚଳିତ ବର୍ଷର ୫୭ ଦିନିଆ ପବିତ୍ର ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଛି। ‘ଚଲୋ ବୁଲାୱା ଆୟା ହୈ, ବାବା ବର୍ଫାନୀ ନେ ବୁଲାୟା ହୈ’, ‘ହର ହର ମହାଦେବ’ ଏବଂ ‘ବମ ବମ ଭୋଲେ’ ଧ୍ୱନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଛି। ବାବା ବର୍ଫାନୀଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ଦେଖାଯାଇଛି।
ନୋଡାଲ ଅଧିକାରୀ ରାହୁଲ ଯାଦବ କହିଛନ୍ତି ଯେ ବାଲତାଲ ମାର୍ଗରେ ତୀର୍ଥଯାତ୍ରାର ସୁଚାରୁ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଅଞ୍ଚଳରେ ଝିପିଝିପି ବର୍ଷା ହେଉଥିଲେ ମଧ୍ୟ ରାସ୍ତାଘାଟକୁ ସଫା ରଖାଯାଇଛି। ପ୍ରାୟ ୧୦ ହଜାର ତୀର୍ଥଯାତ୍ରୀ ଏହି ପର୍ଯ୍ୟାୟରେ ଯାତ୍ରାରେ ସାମିଲ ହେବେ ବୋଲି ପ୍ରଶାସନ ଆଶା ପ୍ରକାଶ କରିଛି।ତୀର୍ଥଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ଆଶ୍ରୟସ୍ଥଳ ସ୍ଥାପନ କରାଯାଇଛି। ପ୍ରଥମ ଦଳରେ ସାମିଲ ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ ଗତବର୍ଷ ତୁଳନାରେ ଏଥର ବ୍ୟବସ୍ଥା ବହୁତ ଉନ୍ନତ ରହିଛି।
ସ୍ଥାନୀୟ ଲୋକ, ସ୍ୱାସ୍ଥ୍ୟ ବିଭାଗ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଉତ୍ତମ ସହଯୋଗ ମିଳୁଛି। ସେ ଦେଶବାସୀଙ୍କ ଏକତା, ଶାନ୍ତି ଓ ସମୃଦ୍ଧି ପାଇଁ ବାବା ବର୍ଫାନୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।ଅନ୍ୟ ଜଣେ ତୀର୍ଥଯାତ୍ରୀ କହିଛନ୍ତି ଯେ ଏହା ତାଙ୍କର ପ୍ରଥମ ଅମରନାଥ ଯାତ୍ରା ଏବଂ ସେ ପରିବାର ସହ ଆସିଛନ୍ତି। ପୋଲିସ, ସିଆରପିଏଫ ଏବଂ ସେନା ପକ୍ଷରୁ ମିଳୁଥିବା ସହଯୋଗ ଓ ସମଗ୍ର ପ୍ରସ୍ତୁତିକୁ ସେ ପ୍ରଶଂସା କରି କହିଛନ୍ତି ଯେ ଏଥରର ବ୍ୟବସ୍ଥା ଅତ୍ୟନ୍ତ ସନ୍ତୋଷଜନକ ଓ ସୁରକ୍ଷିତ ରହିଛି।

