ନ୍ୟୁଜ ଡେକ୍ସ : ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଆହୁରି ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ‘ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି-୨୦୨୧’ର ଅବଧିକୁ ଚଳିତ ବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
୨୦୨୧ ମସିହାରେ ଲାଗୁ ହୋଇଥିବା ଏହି ପଲିସିର ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବୃଦ୍ଧି କରିବା, ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଇଭି ଓ ଏହାର ଯନ୍ତ୍ରାଂଶ ଉତ୍ପାଦନକୁ ପ୍ରୋତ୍ସାହନ ଦେବା।ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ଯାନ କିଣୁଥିବା ଗ୍ରାହକମାନେ ପୂର୍ବଭଳି ସରକାରୀ ସବ୍ସିଡି ଏବଂ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନର ସୁବିଧା ପାଇବେ। ଏହା ସହିତ ଗାଡ଼ି ପଞ୍ଜୀକରଣ ଶୁଳ୍କ ଏବଂ ସଡ଼କ କରରେ ମିଳୁଥିବା ଛାଡ଼ ମଧ୍ୟ ବଳବତ୍ତର ରହିବ।
କେବଳ ଗ୍ରାହକ ନୁହେଁ, ଇଲେକ୍ଟ୍ରିକ୍ ଯାନ ଉତ୍ପାଦନକାରୀ ସଂସ୍ଥାମାନେ ମଧ୍ୟ ଏହି ପଲିସି ଅଧୀନରେ ବିଭିନ୍ନ ପ୍ରୋତ୍ସାହନର ସୁବିଧା ପାଇବେ। ଉତ୍ପାଦନ ଶିଳ୍ପ ପାଇଁ ଆର୍ଥିକ ସହାୟତା, ପୁରୁଣା ଯାନ ସ୍କ୍ରାପିଂ ପ୍ରୋତ୍ସାହନ ଏବଂ ଋଣ ଉପରେ ସୁଧ ରିହାତି ଭଳି ବ୍ୟବସ୍ଥା ମଧ୍ୟ ଜାରି ରହିବ।ପରିବେଶ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ପରିବହନ ବ୍ୟବସ୍ଥାକୁ ଆଗେଇ ନେବା ଲକ୍ଷ୍ୟରେ ସରକାରଙ୍କ ଏହି ପଦକ୍ଷେପ ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ ବ୍ୟବହାରକୁ ଆହୁରି ବେଗବାନ କରିବ ବୋଲି ଆଶା କରାଯାଉଛି।

