ନ୍ୟୁଜ ଡେକ୍ସ : ଭୁବନେଶ୍ୱର ବିମାନବନ୍ଦରରେ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାସ ହୋଇଛି। ବ୍ୟାଙ୍କକରୁ ଭୁବନେଶ୍ୱରକୁ ଆସିଥିବା ଦୁଇ ଯାତ୍ରୀଙ୍କ ଲଗେଜରୁ ପ୍ରାୟ ୧୧ କେଜି ଗଞ୍ଜେଇ ଜବତ କରିଛି ଡିଆରଆଇ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଗଞ୍ଜେଇକୁ କମ୍ପ୍ରେସଡ୍ ଆକାରରେ ପ୍ରସ୍ତୁତ କରି ଚତୁରତାର ସହ ଲଗେଜ ଭିତରେ ଲୁଚାଇ ଆଣାଯାଉଥିଲା।
ଯାଞ୍ଚ ବେଳେ ଡିଆରଆଇ ଅଧିକାରୀମାନେ ଏହାକୁ ଠାବ କରିବା ସହ ଦୁଇ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ଏହି ଚୋରାଚାଲାଣ ପଛରେ ଥିବା ନେଟୱର୍କ ସମ୍ପର୍କରେ ମଧ୍ୟ ତଦନ୍ତ ଚାଲିଛି।ନିକଟ ଅତୀତରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। କଟକ ସଦର ଥାନା ଅନ୍ତର୍ଗତ କାଜିପାଟଣା କୁଆଖାଇ ପୋଲ ନିକଟରେ ଏକ ଦାମୀ କାରରୁ ୭୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଏହାର ଆନୁମାନିକ ମୂଲ୍ୟ ୧୯ ଲକ୍ଷ ଟଙ୍କା ରହିଥିଲା।
ସେହିପରି ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ଦୁଇଟି ଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷରେ ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ ହାଇୱେ କଡ଼ରୁ ମଧ୍ୟ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଥିବାରୁ ରାଜ୍ୟରେ ନିଶାଦ୍ରବ୍ୟ ଚୋରାଚାଲାଣକୁ ନେଇ ଚିନ୍ତା ବଢ଼ିଛି। ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହି ଚକ୍ର ବିରୋଧରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି।

