ନ୍ୟୁଜ ଡେକ୍ସ : ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ସହ ଜଡ଼ିତ ଚାରିଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। କଟକର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ତଲାସ କାର୍ଯ୍ୟ ଚାଲିଛି।
ଏହି ଚଢ଼ାଉରେ ୫ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (ଡିଏସ୍ପି), ୯ ଜଣ ଇନ୍ସପେକ୍ଟର, ୫ ଜଣ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସ୍ଆଇ)ଙ୍କ ସମେତ ଅନ୍ୟାନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ବ୍ୟାପକ ତଦନ୍ତ ମାଧ୍ୟମରେ ସମ୍ପତ୍ତିର ଉତ୍ସ ଏବଂ ଆର୍ଥିକ କାରବାରର ଯାଞ୍ଚ କରାଯାଉଛି।ଭିଜିଲାନ୍ସ ଟିମ୍ କଟକ ଜିଲ୍ଲାର ବାରଙ୍ଗ ଥାନା ଅନ୍ତର୍ଗତ ଗୋଡ଼ିସାହି, ମୁଣ୍ଡୁଳିରେ ଥିବା ତାଙ୍କର ଚାରି ମହଲା ବିଶିଷ୍ଟ ବାସଭବନ, ବାଙ୍କୀ ଥାନା ଅଧୀନ ସାହାଡ଼ାପଡ଼ାରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ାରେ ଥିବା ଫରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ଏବଂ କେନ୍ଦ୍ରାପଡ଼ାରେ ଥିବା ତାଙ୍କ ଅସ୍ଥାୟୀ ବାସସ୍ଥାନରେ ତଲାସ ଚଳାଇଛି।
ବର୍ତ୍ତମାନ ସମସ୍ତ ଚାରିଟି ସ୍ଥାନରେ ତଲାସ ଜାରି ରହିଛି। ତଲାସ ଶେଷ ହେବା ପରେ କେତେ ପରିମାଣର ସମ୍ପତ୍ତି ଓ ଦସ୍ତାବିଜ ଜବତ ହୋଇଛି ସେନେଇ ଭିଜିଲାନ୍ସ ପକ୍ଷରୁ ବିସ୍ତୃତ ସୂଚନା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି।

