Fri. Oct 24th, 2025

ନ୍ୟୁଜ ଡେକ୍ସ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ଅଁଳା ନବମୀ ଭାବରେ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ବୋଲି ମଧ୍ୟ କୁହାଯାଏ । ଆଜି ରାଧାପାଦ ମଧ୍ୟ ଦର୍ଶନ କରିବାର ସୌଭାଗ୍ୟ ପାଇଥାନ୍ତି ଶ୍ରଦ୍ଧାଳୁ । ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ ।

ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ । ଅଁଳା ନବମୀ ପାଇଁ ଚଳଚଞ୍ଚଳ ହୋଇଛି ସାକ୍ଷୀଗୋପାଳ ଅଞ୍ଚଳ । ଶ୍ରୀଗୋପାଳଜିଉ ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକରେ ସଜା କରାଯାଇଛି । ସିଂହଦ୍ୱାର, ବକୁଳ ବନ, ପଞ୍ଚସଖା ସମାଧି ପୀଠ, ବସ୍ଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ, କଲେଜ ଛକ, ମନ୍ଦିର ବାଇପାସ୍ ରାସ୍ତା ଓ ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି । ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି।ପୁରୀ ପଟୁ ଆସୁଥିବା ଯାନବାହାନ ମହାମାୟା ସାହି ଦେଇ ସାକ୍ଷୀଗୋପାଳ ଷ୍ଟେସନ୍ ପଡ଼ିଆରେ ପାର୍କିଂ କରାଯାଉଛି । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଯାନବାହନ ସାକ୍ଷୀଗୋପାଳ କଲେଜ ବାଇପାସ୍ ରାସ୍ତା ଦେଇ କୋର୍ଟ ଉପର ପଡ଼ିଆରେ ପାର୍କିଂ ହେବ।

ସୁରକ୍ଷା ଲାଗି ୨୦ ପ୍ଲାଟୁନ୍ ଫୋର୍ସ, ୩ ଜଣ ଅତିରିକ୍ତ ଏସ୍ପି, ୮ଜଣ ଏସ୍ଡିପିଓଙ୍କ ସମେତ ସତ୍ୟବାଦୀ ଥାନା ଆଇଆଇସି ଉମେଶ କୁମାର ସାହୁଙ୍କ ସହିତ ଅନ୍ୟ ଅଧିକାରୀମାନେ ଦାୟିତ୍ୱରେ ରହିଛନ୍ତି । ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ୩୦ଟି ସ୍ଥାନରେ ସିସି କ୍ୟାମେରା ଲଗା ଯାଇଛି । ସମସ୍ତ ନୀତିକାନ୍ତି ସହ ରାଧାରାଣୀଙ୍କ ପାଦ ଦର୍ଶନକୁ ନେଇ ସେବାୟତ ସଂଘ ପକ୍ଷରୁ ରବିବାର ଅଁଳା ନବମୀ ଦେବନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *