Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ। ଭୋରୁ ଭୋରୁ ଶ୍ରଦ୍ଧାଳୁମାନେ ବିଭିନ୍ନ ନଦୀ, କେନାଲ ଓ ପୋଖରୀରେ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ପୁରୀ ବେଳାଭୂମି, କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ୱର ବିନ୍ଦୁସାଗର ଓ କୁଆଖାଇ ନଦୀରେ ଶ୍ରଦ୍ଧାଳକୁମାନେ ଭୋର ୪ ଟାରୁ ଡଙ୍ଗା ଭସାଇଛନ୍ତି।

ସମୁଦ୍ରରୁ ନଦୀ, ପୁଷ୍କରିଣୀଠୁ ଆରମ୍ଭ କରି ସବୁ ଜଳାଶୟରେ ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ଗାଇ ଡଙ୍ଗା ଭସାଉଛନ୍ତି। ସକାଳୁ ସକାଳୁ ଏଥିପାଇଁ ଜଳାଶୟ ଗୁଡ଼ିକରେ ପ୍ରବଳ ଭିଡ଼ ଜମିଛି। ଭୁବନେଶ୍ୱରର ପବିତ୍ର ବିନ୍ଦୁ ସାଗର, ପୁରୀ ମହୋଦଧୀ, କଟକର ମହାନଦୀ, କାଠଯୋଡ଼ି ଭଳି ଅନେକ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ୍‌ ଟିମ୍‌ ବି ମୁତୟନ ହୋଇଛନ୍ତି।

କଟକରେ ମହାନଦୀ ଓ କାଠଯୋଡ଼ିରେ ଡଙ୍ଗା ଭସାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ଭୋର ସମୟରୁ କଟକର ସବୁ ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପାରାଦୀପ ସମେତ କେତେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହେଉଛି। କଟକରେ ସକାଳୁ ସକାଳୁ ଲୋକେ ଡଙ୍ଗା ଭସାଇବା ପରେ ଠୁଙ୍କା ପୁରୀ ଖାଉଥିବାର ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *