ନ୍ୟୁଜ ଡେକ୍ସ: ଆଜିଠୁ ଆରମ୍ଭ ହେବ ବିଧାନସଭାର ୧୭ତମ ଶୀତକାଳୀନ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଅଧିବେଶନ ପୂର୍ବରୁ ଗତକାଲି ଅନୁଷ୍ଠିତ ହୋଇଛି ଶାସକ ଦଳ ସହ ବିରୋଧି ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ । ଶାସକ ଦଳ ବିଜେପିକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
ସେପଟେ ବିରୋଧୀଙ୍କୁ ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ବିଜେପି । ଆମ୍ବଟାକୁଆ ମୃତ୍ୟୁ, ଧାନକିଣା ଅବ୍ୟବସ୍ଥା, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା, ଆଦାନୀ ଏବଂ ଗନ୍ଧମାର୍ଦ୍ଦନ ପ୍ରସଙ୍ଗ ଉଠାଇ ସରକାରକୁ ହରଡଘଣାରେ ପକାଇବାକୁ ଯୋଜନା କରିଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିରୋଧୀଙ୍କ ପ୍ରସଙ୍ଗକୁ କାଉଣ୍ଟର କରିବାକୁ ସଜବାଜ କରିଛି ବିଜେପି।
ଗୃହରେ ରାଜ୍ୟ ସରକାରଙ୍କ ୫ ମାସର ଉପଲବ୍ଧି, ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ତାଲିକା ରଖିବାକୁ ସ୍ଥିର କରିଛି ବିଜେପି।ଏହା ସହ ବିଗତ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି ଓ କଳାକାରନାମାର ତାଲିକା ବି ଖୋଲି କାଉଣ୍ଟର କରିବାକୁ ଦଳ ଯୋଜନା କରିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ।