ନ୍ୟୁଜ ଡେକ୍ସ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସ୍ପେନ୍ସ ଲାଗି ରହିଥିବା ବେଳେ ଏକନାଥ ସିନ୍ଦେ ଆଜି ନିଜ ଗାଁକୁ ଯାଇଛନ୍ତି । ଦୁଇଟି ବଡ଼ ବୈଠକ ବାତିଲ ହେବା ପରେ ସିନ୍ଦେ ନିଜ ଗାଁ ସତାରା ଚାଲି ଯାଇଛନ୍ତି । ଏହା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ଗୁରୁବାର ଦେବେନ୍ଦ୍ର ଫଡ଼ନାଭିସ ଏବଂ ଅଜିତ ପାଓ୍ବାରଙ୍କ ସମେତ ଏକନାଥ ସିନ୍ଦେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ।
ଗତକାଲି ତିନି ଦଳର ପ୍ରମୁଖ ନେତା ବିଜେପିର ଦେବେନ୍ଦ୍ର ଫଡନାଭିସ୍, ଶିବସେନାର ଏକନାଥ ସିନ୍ଦେ ଏବଂ ଏନସିପିର ଅଜିତ ପାୱାର ଦିଲ୍ଲୀରେ ଅମିତ ଶାହ ଏବଂ ଜେପି ନଡ୍ଡାଙ୍କୁ ଭେଟିବା ପରେ ମୁମ୍ବାଇ ଫେରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପଦ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ଆଜି ମୁମ୍ବାଇରେ ମନ୍ତ୍ରୀ ପଦ ବଣ୍ଟନ ନେଇ ମେଣ୍ଟ ଦଳର ଜରୁରୀ ବୈଠକ ବସିବାର ଥିଲା। ମାତ୍ର ଏହାପୂର୍ବରୁ ଅଚାନକ ସତରା ଜିଲ୍ଲାର ନିଜ ଗାଁକୁ ପଳାଇଛନ୍ତି ଏକନାଥ ସିନ୍ଦେ।
ଫଳରେ ମହାୟୁତି ବୈଠକ ବାତିଲ୍ ହୋଇଯାଇଛି।ପୂର୍ବ ସରକାରରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବିଜେପି ଅଧିକ ଆସନ ପାଇଥିବାରୁ ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଏପର୍ଯ୍ୟନ୍ତ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।