Fri. Oct 24th, 2025

ନ୍ୟୁଜ ଡେକ୍ସ: ଆଜି ନିଜ ଜନ୍ମମାଟି କୁ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଠିଛି । ମହାମହିମଙ୍କ ସୁରକ୍ଷା ବ୍ୟବସ୍ଥାଠୁ ଆରମ୍ଭ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ବେଳେ ଜିଲ୍ଲାବାସୀ ମହାମହିମ ରାଷ୍ଟ୍ରପତି ତଥା ଏ ମାଟିର ସୁପୁତ୍ରୀ ଶ୍ରୀମତୀ ମୁର୍ମୁ ଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି ।

ସୂଚନା ଅନୁସାରେ ଆଜି ସକାଳ ୮ଟା ୫୫ରେ ରାଜଭବନରୁ ବାହାରି ଏଜି ଛକରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମହାପରିନିର୍ବାଣ ଦିବସ ଅବସରରେ ପୁଷ୍ପମାଲ୍ୟାର୍ପଣ କରିବେ। ପରେ ଭୁବନେଶ୍ୱର ବିମାନ ବନ୍ଦରରୁ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନ ବନ୍ଦରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉଡ଼ାଣ ଭରିବେ। ସେଠାରୁ ସଡ଼କ ପଥରେ ଉପରବେଡା ସରକାରୀ ଉପ୍ରା ବିଦ୍ୟାଳୟରେ ୧୦ ଟା ୨୫ ନିମିଟରେ ପହଞ୍ଚି ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ପରେ ଦିନ ୧୧ ଟା ୧୫ରେ ସଡ଼କ ପଥରେ ଯାଇ ଉପରବେଡା ସ୍ଥିତ ନିଜ ବାସଭବନରେ ପହଞ୍ଚିବେ । ସେଠାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ଦିନ ୧୨ ଟାରେ ସଡ଼କପଥରେ ରାଇରଙ୍ଗପୁର ଅଭିମୁଖେ ଯାଇ ନିଜସ୍ୱ ବାସଭବନରେ ୧୨ ଟା ୩୦ ମିନିଟରେ ପହଞ୍ଚିବେ । ସେଠାରେ ମଧ୍ୟାହ୍ନ ଭୋଜନ ସହ କିଛି ସମୟ କାଟିବା ପରେ ଅପରାହ୍ନ ୩ ଟା ରେ ବାହାରି ୩ ଟା ୧୦ ମିନିଟ ସମୟରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ପହଞ୍ଚି ଏସଏଲଏସ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକର୍ପଣ କରିବେ ।

ଏହାପରେ ଅପରାହ୍ନ ୪ ଟାରେ ରାଇରଙ୍ଗପୁର ସ୍ଥିତ ମହିଳା ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଭାବ ବିନିମୟ କରିବେ । ସେଠାରୁ ଅପରାହ୍ନ ୪ ଟା ୪୦ ମିନିଟରେ ବାହାରି ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ପହଞ୍ଚି ସେଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ନୂତନ ଭାବେ ସ୍ଥାପିତ ଶ୍ରୀ ଗଣେଶଜୀଙ୍କ ଠାରେ ଆରତୀ ଓ ପୂଜାର୍ଚ୍ଚନା କରିବେ । ଅପରାହ୍ନ ୫ ଟା ୨୫ ରେ ସଡ଼କ ପଥରେ ନିଜ ବାସଭବନକୁ ଯାଇ ସେଠାରେ ରାତ୍ରୀ ଯାପନ କରିବେ । ମହାମହିମଙ୍କ ସମେତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୁଲିସ ଏଡିଜି। ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଙ୍ଗିରିପୋଷି ଠାରେ ୩ଟି ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ବାଙ୍ଗିରିପୋଷି-ଗୋରୁମହିସାଣି, ବୁଢ଼ାମରା-ଚକୁଳିଆ ଏବଂବାଦାମପାହାଡ଼-କେନ୍ଦୁଝର ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ସେଥିପାଇଁ ରେଳ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ରାଜେଶ କୁମାର।

Leave a Reply

Your email address will not be published. Required fields are marked *