ନ୍ୟୁଜ ଡେକ୍ସ: ବନ୍ଦ ରହିବ ଭିତରକନିକା । ଆସନ୍ତା ଜାନୁଆରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ତେବେ ଭିତରକନିକା ଜାତୀୟ ଉଦ୍ୟାନରେ ୨୦୨୫ ପ୍ରଥମ ମାସରେ କୁମ୍ଭୀର ଗଣନା କରାଯିବ । ଏଥିପାଇଁ ଏହି ସମୟରେ ପର୍ଯ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଭିତରକନିକା ବର୍ତ୍ତୃପକ୍ଷ । ଶୀତ ସହ ଅମାବାସ୍ୟା ତିଥିକୁ ଦୃଷ୍ଟିରେ ରଖି କୁମ୍ଭୀର ଗଣନା ପାଇଁ ସମୟ ସ୍ଥିର କରାଯାଇଥାଏ ।
ଶୀତ ଅଧିକ ହେଲେ କୁମ୍ଭୀରମାନେ ନଦୀପଠାରେ ଖରା ପୋଇଁବାକୁ ପଡ଼ି ରହିଥାନ୍ତି । ଭିତରକନିକାର ନଦୀନାଳଗୁଡ଼ିକ ମୁଖ୍ୟତଃ ଜୁଆରିଆ ହୋଇଥିବାରୁ ଅଧିକ ଭଟ୍ଟା ରହୁଥିବା ଅମାବାସ୍ୟା ତିଥି ପରେ ଉଚ୍ଚ ଜୁଆର ନଆସିବା ଯୋଗୁଁ ନଦୀପଠା ବୁଡ଼ି ନଥାଏ । ତେଣୁ ଏହି ସମୟରେ ଉଭୟ ଦିନ ଓ ରାତିରେ କୁମ୍ଭୀର ଗଣନା ସୁବିଧାଜନକ ହୋଇଥାଏ ।
ପର୍ଯ୍ୟଟକମାନେ ବୋଟ୍ରେ ଆସିବା ସମୟରେ କୁମ୍ଭୀରମାନେ ନଦୀ ଭିତରକୁ ଚାଲି ଯାଇଥାନ୍ତି । ତେଣୁ ପର୍ଯ୍ୟଟକଙ୍କୁ ଭିତରକନିକା ବାରଣ କରିବାର ୩/୪ଦିନ ପରେ ଆହୁଲା ଡଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ବିଶେଷଜ୍ଞ ଗଣନାକାରୀଙ୍କୁ ପ୍ରଶିକ୍ଷଣ ପରେ ଏକାଧିକ ଦଳ ଗଠନ କରାଯାଇ ଗଣନା ଆରମ୍ଭ କରାଯିବ ବୋଲି ବିଭାଗ ସୂଚନା ଦେଇଛି l