Sun. Feb 22nd, 2026

ନ୍ୟୁଜ ଡେକ୍ସ: ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନୀତ ଉସ୍ତାଦ ଜାକିର ହୁସେନଙ୍କୁ ମୃତ୍ୟୁ ବେଳକୁ ୭୩ ବର୍ଷ ବୟସ ହୋଇଥିଲା। ଜାକିର ହୁସେନ୍ଙ୍କର ହୃଦଘାତ ହୋଇଥିଲା । ଜାକିର ହୁସେନ୍ଙ୍କ ନାମରେ ୫ ଟି ଗ୍ରାମୀ ପୁରସ୍କାର ରହିଛି ଏବଂ ସେ ୧୨ ଟି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ତାଙ୍କୁ ୧୯୮୮ ରେ ପଦ୍ମଶ୍ରୀ, ୨୦୦୨ ରେ ପଦ୍ମ ଭୂଷଣ ଏବଂ ୨୦୨୩ରେ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିଲା।ଜାକିର ହୁସେନ୍ ତାଙ୍କ କଳା ପ୍ରଦର୍ଶନରୁ ବହୁ ଧନ ଅର୍ଜନ କରିଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ, ସେ ପ୍ରାୟ ୧୦ ଲକ୍ଷ ଡଲାର ଅର୍ଥାତ୍ ୯ କୋଟି ଟଙ୍କା ମୂଲ୍ୟର ମାଲିକ ଥିଲେ। ହୁସେନ୍ ତାଙ୍କର ଏକ କନସର୍ଟ ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ନେଉଥିଲେ ।

ସୂଚନାଥାଉ ଯେ, ଜାକିର ହୁସେନ୍ ତାଙ୍କର ପ୍ରଥମ ପ୍ରଦର୍ଶନ ପାଇଁ ମାତ୍ର ୫ ଟଙ୍କା ପାଇଥିଲେ। ଜାକିର ହୁସେନ୍ଙ୍କ ପିତା ଉସ୍ତାଦ୍ ଆଲ୍ଲାହା ରାଖା ମଧ୍ୟ ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ଜାକିର ତାଙ୍କ ପିତାଙ୍କ ଠାରୁ ତବଲା କଳା କୌଶଳ ଉତ୍ତରାଧିକାରୀ ହୋଇଥିଲେ। ସେ ପଣ୍ଡିତ ଶିବ କୁମାରଙ୍କ ଠାରୁ ସଙ୍ଗୀତ ମଧ୍ୟ ଶିଖିଥିଲେ। ଜାକିର ହୁସେନ୍ ମୁମ୍ବାଇର ସେଣ୍ଟ ଜାଭିୟର କଲେଜରୁ ସ୍ନାତକ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *