ନ୍ୟୁଜ ଡେକ୍ସ: ଟ୍ରାଙ୍କୁଲାଇଜ୍ ହେଲା ବାଘୁଣୀ ଜିନ୍ନତ। ବନ ବିଭାଗର ବିଶେଷଜ୍ଞ ଦଳଙ୍କୁ ବାରମ୍ବାର ଚକମା ଦେବା ପରେ ଶେଷରେ କାବୁ ହୋଇଛି ଜିନ୍ନତ। ଝାରଖଣ୍ଡରୁ ଆସି ସେ ପଶ୍ଚିମବଙ୍ଗର ଘଞ୍ଚ ଜଙ୍ଗଲରେ ଘୁରି ବୁଲୁଥିଲା। ଦୀର୍ଘ ସମୟର ଉଦ୍ୟମ ପରେ ରବିବାର ବାଘୁଣୀ ‘ଜିନ୍ନତ’କୁ ଟ୍ରାଙ୍କୁଲାଇଜ୍ କରାଯାଇଛି।
ଏନେଇ ସୂଚନା ଦେଇଛନ୍ତି ବାରିପଦା ଆରସିସିଏଫ ପ୍ରକାଶ ଗୋଗିନେନି। ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ରାଇକିଆ ପାହାଡ଼ ଗୁମ୍ଫାରେ ଜିନ୍ନତ ଲୁଚି ରହିଥିଲା। ଶୁକ୍ରବାର ଜିନ୍ନତ ଉକ୍ତ ଗୁମ୍ଫାରୁ ବାହାରି ସ୍ଥାନୀୟ ମନବଜାର ଫରେଷ୍ଟ ବ୍ଲକ ଅଞ୍ଚଳରେ ଥିବା ଏକ ବାଉଁଶ ବୁଦା ଓ ଡ୍ୟାମ୍ ଏରିଆରେ ବୁଲୁଥିବା ଲୋକେ ଦେଖିଥିଲେ ।
ଖବର ପାଇ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ୪ଟି ଟ୍ରାଙ୍କୁଲାଇଜ୍ ଟିମ୍ ଜିନ୍ନତ ପଛରେ ପଡ଼ିଥିଲେ । ଶନିବାର ଦିନ ତମାମ ଜିନ୍ନତକୁ ଧରିବା ପାଇଁ ଟ୍ରାଙ୍କୁଲାଇଜ୍ ଟିମ୍ କୌଶଳ ଲଗାଇଥିଲେ । ଶନିବାର ଦିନସାରା ଏକାଧିକ ବାର ଟ୍ରାଙ୍କୁଲାଇଜ୍ କରିବାକୁ ଚେଷ୍ଟା କରା ଯାଇଥିଲା । ମାତ୍ର ବିଫଳ ହୋଇଥିଲେ ଉକ୍ତ ଟିମ୍ ।
