ନ୍ୟୁଜ ଡେକ୍ସ: ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଏହି ମାମଲାରେ ତଦନ୍ତ ପ୍ରକ୍ରିୟା କଣ ହେବ, ସେ ନେଇ ସରକାର ଆଗକୁ ନିଷ୍ପତ୍ତି ନେବେ, ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି ।
ଆଜି ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଉ ମନ୍ତ୍ରୀଙ୍କ ଏହି ବୟାନ ହିଁ ପରୋକ୍ଷରେ ନବ ଦାସ ହତ୍ୟା ମାମଲାର ପୁନଃତଦନ୍ତ ପାଇଁ ସରକାର ବିଚାର କରୁଥିବା ମଧ୍ୟ ସ୍ପଷ୍ଟ ହୋଇଛି । ନବ ଦାସ ହତ୍ୟା ମାମଲାରେ ଗୁରୁବାର ଗଣମାଧ୍ୟମକୁ ରାଜ୍ୟ ସରକାରଙ୍କ ଦୁଇଜଣ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ । ନବଙ୍କ ହତ୍ୟାବେଳେ ସ୍ଥାନୀୟ ସାଂସଦ ଥିବା ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ସେସମୟରେ ବହୁତ ତଥ୍ୟ ଦେଇଥିଲି । ଆଜି ବି ଦେଉଛି ।
ସେସବୁ ଆଇସୋଲେସନରେ ରହିଛି । ବିସ୍ତାର ଭାବେ ଆଗକୁ ସେସମ୍ପର୍କରେ ଆଲୋଚନା ହେବ । ତେବେ ସିବିଆଇ ତଦନ୍ତ କରିବାକୁ ଝିଅ ଦୀପାଳି ଦାବି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି । ଏ ଘଟଣା ନବୀନ ସରକାରଙ୍କ ସମୟରେ ଘଟିବା ସହ ସେତେବେଳେ ତଦନ୍ତ ନେଇ ମୁହଁ ଖୋଲିନଥିବା ଦୀପାଳି ଏବେ ସିବିଆଇ ତଦନ୍ତ ଦାବି କରିଛନ୍ତି ସତ ହେଲେ ସେ ସରକାରଙ୍କୁ ଏନେଇ ଲିଖିତ ଅନୁରୋଧ କରିନାହାନ୍ତି ।
