Mon. Dec 23rd, 2024

ନ୍ୟୁଜ ଡେସ୍କ: ପ୍ରଖ୍ୟାତ କବି, ନାଟ୍ୟକାର, ଗୀତିକାର, ସଂଳାପକାର, ଅଭିନେତା ତଥା ଓଡ଼ିଶା ସାହିତ୍ୟ ଏକାଡେ଼ମୀର ପୂର୍ବତନ ସଭାପତି ହରିହର ମିଶ୍ରଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି କିଡନି ରୋଗରେ ପୀଡ଼ିତ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ୫ ଦିନ ତଳେ ପୁରୀ ସ୍ଥିତ ବାସଭବନକୁ ଅଣାଯାଇଥିଲା।

ଶେଷନିଶ୍ୱାସ ତ୍ୟାଗ ବେଳେ ତାଙ୍କର ପତ୍ନୀ, ତିନି କନ୍ୟା ଏବଂ ପୁଅ ରହିଥିଲେ। ପୁରୀ ମାର୍କଣ୍ଡେଶ୍ୱର ସାହିରେ ତାଙ୍କର ଘର। ସେଠାରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହରିହର ମିଶ୍ର ଓଡ଼ିଆ ଚଳଚ୍ଚିତ୍ର ‘ଚିଲିକା ତୀରେ’ର ସଂଳାପ ରଚନା କରିବା ସହ ଏଥିରେ ସହ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ସେ ଅଭିନୟ ବି କରିଥିଲେ l ଏକାଧାରରେ ଜଣେ କବି, ଗାଳ୍ପିକ, ଅନୁବାଦକ ଓ ନାଟ୍ୟକାର ଭାବରେ ଖ୍ୟାତି ଅର୍ଜନ କରିଥିଲେ ହରିହର ମିଶ୍ର । ଅଧ୍ୟାପନା ବୃତ୍ତିରେ ଥାଇ ସେ ସାହିତ୍ୟ ସର୍ଜନା ସହିତ ରେଡ଼ିଓ ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ୨୦୧୬ମସିହାରେ, ସେ ଓଡ଼ିଶା ସାହିତ୍ୟ ଏକାଡେମିର ୩୧ତମ ସଭାପତି ଭାବରେ ନିଯୁକ୍ତ ହୋଇଥିଲେ । ସେ କବିତା, ଏକାଙ୍କିକା, ନାଟକ, ଉପନ୍ୟାସ, ଗଳ୍ପ ଓ ସମାଲୋଚନା ଆଦି ବିଭାଗରେ ନିଜ ଲେଖନୀ ଚାଳନା କରିଛନ୍ତି।

ସମାବେଶ ପତ୍ରିକା ସେ ସମ୍ପାଦନା କରିଥିଲେ ହରିହର ମିଶ୍ର । ଶ୍ରୀ ଶ୍ରୀ ପତିତପାବନ (୧୯୬୨) କଥାଚିତ୍ରର ଗୀତ ଓ ସଂଳାପ ରଚୟିତା ଓ ସହ ନିର୍ଦ୍ଦେଶକ ଥିଲେ । ପରେ ଚିଲିକା ତୀରେ (୧୯୭୮) କଥାଚିତ୍ରର ସଂଳାପକାର ଓ ସହ ନିର୍ଦ୍ଦେଶକ ଥିଲେ ଓ ତପସ୍ୟା (୧୯୮୦) କଥାଚିତ୍ରର ଗୀତ ଲେଖିଥିଲେ ।

Leave a Reply

Your email address will not be published. Required fields are marked *