Sat. Feb 21st, 2026

ନ୍ୟୁଜ ଡେକ୍ସ: ସାମାନ୍ୟ କମିଲା ସୋମବାର । ବୁଧବାରଠାରୁ ଆହୁରି କମିବ । ବଢ଼ିବ କାଳବୈଶାଖୀ । ଆଣିବ ତାତିରୁ ଆଶ୍ୱସ୍ତି । ଦିନ ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୫ ଡିଗ୍ରୀ ସେଲସିୟସ୍ କମିପାରେ । ୧୯ ରୁ ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ୨୦ ରୁ ୨୨ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ସର୍ବାଧିକ ରହିବ। ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ଗୁରୁଚାପ ପ୍ରଭାବରେ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ କରିବ। ଯାହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ପରେ ଝଡ଼ ପବନ ସାଙ୍ଗକୁ ବର୍ଷା କରାଇବ। ଏହାସହ ଉପରିଭାଗରେ ନିମ୍ନ ଚାପରେଖାର ଉପସ୍ଥିତି କାଳବୈଶାଖୀ ପାଇଁ ଅତ୍ୟନ୍ତ ଅନୁକୂଳ ହେବ। ପାଣିପାଗ ପୂର୍ବାନୁମାନ ହେଲା, ମଙ୍ଗଳବାର ଝାରସୁଗୁଡ଼ା ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀ ଜାରି ରହିବ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗୀର, ସୁନ୍ଦରଗଡ଼, ଅନୁଗୁଳ ଓ କଳାହାଣ୍ଡିରେ ଗ୍ରୀଷ୍ମ ଲହରୀ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବୁଧବାର କେବଳ ବୌଦ୍ଧ ଓ ଝାରସୁଗୁଡ଼ାରେ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ । ଅନୁମାନ କରାଯାଉଛି, ମଙ୍ଗଳବାର କେନ୍ଦୁଝର, ମୟୂରଭଞ୍ଜରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ବୁଧବାର ସୁନ୍ଦରଗଡ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି ଜାଗାରେ ବଜ୍ରପାତ ଏବଂ ୩୦ରୁ ୪୦ କିମି ବେଗରେ ପବନ ଆଶଙ୍କା ଅଛି ।

Leave a Reply

Your email address will not be published. Required fields are marked *