ନ୍ୟୁଜ ଡେକ୍ସ: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି। ଆସନ୍ତା ୧୨ରୁ ୧୪ ଯାଏ କାଳବୈଶାଖୀ ସମ୍ଭାବନା। କେତେକ ସ୍ଥାନରେ କୁଆ ପଥର ବର୍ଷା ମଧ୍ୟ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୦ରୁ ୭୫ କିଲୋମିଟର ମଧ୍ୟ ହୋଇପାରେ ।
ଉତ୍ତର ଭାରତରେ ଏକ ଟ୍ରପ ଲାଇନ ଆସିବାର ଅଛି ଏହା ପ୍ରଭାବରେ ବର୍ଷା ସମ୍ଭାବନା ରହୁଛି । ୧୪ ପରେ ବଢ଼ିବ ତାପମାତ୍ରା। ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷାର ସମ୍ଭାବନା ରହିଛି। ସେହିପରି ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ୧୩ ତାରିଖଠାରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ବୌଦ୍ଧ ବ୍ୟତୀତ ରାଜ୍ୟର ସମସ୍ତ ସହରରେ ଦିନର ତାପମାତ୍ରା ୪୦ ଡିଗ୍ରି ତଳକୁ ଖସି ଆସିଛି। ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିବା ସହ କୋରାପୁଟ, ରାୟଗଡ଼ା, ଦେବଗଡ଼, କଳାହାଣ୍ଡି ଜିଲ୍ଲାରେ ବର୍ଷା ହୋଇଛି। କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ସର୍ବାଧିକ ୩୦ ମିମି ବର୍ଷା ହୋଇଥିବା ବେଳେ ରାୟଗଡ଼ା ଜିଲ୍ଲାର ବିଷମକଟକରେ ୨୭.୪, କୋଲନରାରେ ୨୧.୩, ରାୟଗଡ଼ାରେ ୧୭.୮ ମିମି ବର୍ଷା ରେକର୍ଡ କରାଯାଇଛି।

