Thu. Oct 23rd, 2025

ନ୍ୟୁଜ ଡେକ୍ସ: ୟୁନିୟନ ପବ୍ଲିକ ସର୍ଭିସ୍ କମିଶନ (ୟୁପିଏସ୍ସି) ପରୀକ୍ଷାରେ କୃତକାର୍ଯ୍ୟ ପାଇଁ ମାଗଣା କୋଚିଂ ବ୍ୟବସ୍ଥା କରାଯାଇଛି। ମାତ୍ର କୋଚିଂ ସମୟରେ ସେମାନେ ରାଜ୍ୟ ସରକାରଙ୍କର ଯେକୌଣସି ପରୀକ୍ଷା ଦେଇ ଅଧାରୁ ଚାଲି ଯାଉଛନ୍ତି। ଯେଉଁ ଚାକିରି ପାଇଁ କୋଚିଂ ଦିଆଯାଉଛି ସେମାନେ ସେଥିରେ ଯାଉନାହାନ୍ତି। ବରଂ ଏସ୍ଏସ୍ବି, ଓଏସ୍ଏସ୍ସି, ଓଏସ୍ଏସ୍ଏସ୍ସି ପରିଚାଳିତ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ଏଥର ନୂଆ ପଦ୍ଧତିରେ ଗରିବ ଓ ମଧ୍ୟମ ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କୁ ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ଓ ମେନ୍ ପରୀକ୍ଷା ପାଇଁ ଫ୍ରି କୋଚିଂ ଦିଆଯିବ। ସର୍ଟ ଲିଷ୍ଟେଡ୍ ୨୦୦ ଛାତ୍ରଛାତ୍ରୀଙ୍କୁ ମାଗଣାରେ ରହିବା, ଖାଇବା ସହ ଏକ ଘରୋଇ ଅନୁଷ୍ଠାନରେ କୋଚିଂ ପାଇଁ ବ୍ୟବସ୍ଥା ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇଛି ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ କହିଛନ୍ତି, ଗତ ସରକାରଙ୍କ ସମୟରୁ ମାଗଣା ୟୁପିଏସ୍ସି କୋଚିଂ ଦିଆଯାଉଛି । ହେଲେ ଏଥିରେ ସମସ୍ୟା ରହିଛି । ଆମେ ଚଳିତବର୍ଷ (୨୦୨୫-୨୬) ୟୁପିଏସ୍ସି ମାଗଣା କୋଚିଂକୁ ପରୀକ୍ଷାମୂଳକ ଭାବେ କରିବୁ । ସମାନ ଢାଞ୍ଚାରେ କୋଚିଂ ଦିଆଯିବ । କିନ୍ତୁ ୟୁପିଏସ୍ସି ପ୍ରସ୍ତୁତି ପାଇଁ ଆସୁଥିବା ପିଲାଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରାଯିବ । ଆଗାମୀ ଦିନରେ ସରକାର ଆଇଏଏସ୍ ମାନଙ୍କୁ ସେମାନଙ୍କର ଗୋଟିଏ ଗୋଟିଏ ଦିନ କ୍ଲାସ କରିବାକୁ ପଠାଯିବ । ଆଶା କରୁଛୁ ଏଥର ନିଶ୍ଚିତ ଭାବେ ଆମ ପିଲା ୟୁପିଏସ୍ସି ପାଇବେ । ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୧୯ରେ ମାଗଣା ସିଭିଲ ସର୍ଭିସ କୋଚିଂ କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟସ୍ତରରେ ଆରମ୍ଭ କରିଥିଲେ । ଘରୋଇ ସଂସ୍ଥାକୁ କୋଚିଂ ଦାୟିତ୍ୱ ଦେଇଥିଲେ ।

ମାତ୍ର ଏହି ଯୋଜନା ସଫଳ ହୋଇନଥିଲା। ଏପରି ସ୍ଥିତି ହୋଇଥିଲା, ଗୋଟିଏ ବି ପିଲା ଭାରତୀୟ ପ୍ରଶାସନିକ ସେବା ପ୍ରିଲିମ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନଥିଲେ । ଗତବର୍ଷ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ୟୁପିଏସ୍ସି କୋଚିଂ ପାଇଁ ବ୍ୟବସ୍ଥା କରାଯାଇଥିଲା । ଏଥିରେ ୨୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯାଇ କୋଚିଂର ସୁଯୋଗ ଦିଆଯାଇଛି । ସେଠାରେ ପାଠପଢ଼ିବା ସହ ଖାଇବା, ରହିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନୂଆ ସରକାର ଅଣ୍ଟା ଭିଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *