ନ୍ୟୁଜ ଡେକ୍ସ: ଆଜିଠୁ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଝଡ଼ ବର୍ଷା ଆଶଙ୍କା ଅଛି । ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ବର୍ଷା ଯୋଗୁ ତାତିରେ ସାମୟିକ ବିରତି ଲାଗିପାରେ ।
ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି । ସେହିପରି ଆସନ୍ତାକାଲି ମଧ୍ୟ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ। ଏନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।ସୂଚନାଯୋଗ୍ୟ,ରାଜ୍ୟରେ ପ୍ରଚଣ୍ଡ ତାତିରେ କଲବଲ ହେଉଛି ଜନଜୀବନ । ତତଲା କଡ଼େଇରେ ଭାଜି ହେଉଛି ସାରା ଓଡ଼ିଶା । ହେଲେ କାଳବୈଶାଖୀ ବର୍ଷା। ଆଣି ଦେଇଛି ଆଶ୍ୱସ୍ତି। ଗତକାଲି ଟ୍ୱିନ ସିଟି ସହ କିଛି ଜିଲ୍ଲାରେ ବର୍ଷା ସହ ପବନ ହୋଇଥିଲା।
୨୯ ଓ ୩୦ ତାରିଖରେ ଉତ୍ତର ଓଡ଼ିଶା, ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୧ ଓ ୨ ତାରିଖରେ ମଧ୍ୟ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ଦୁଇ ଦିନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ଯାଏ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
