Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପାକିସ୍ତାନର ୭ ବିଲିୟନ ଡଲାର ଋଣ କାର୍ଯ୍ୟକ୍ରମର ସମୀକ୍ଷା କରି ୧ ବିଲିୟନ ଡଲାର (ପ୍ରାୟ ୮,୫୦୦ କୋଟି ଟଙ୍କା) ମଞ୍ଜୁର କରିଛି। ଭାରତର ତୀବ୍ର ବିରୋଧ ଏବଂ ଆତଙ୍କବାଦ ପ୍ରତି ପାକିସ୍ତାନର ସମର୍ଥନ ଓ ଅସ୍ଥିର ଋଣ ସ୍ତର ସମ୍ପର୍କରେ ଉଠିଥିବା ଚିନ୍ତା ସତ୍ତ୍ୱେ ଆଇଏମଏଫ ଏହି ନିଷ୍ପତ୍ତି ଗ୍ରହଣ କରିଛି।

ଶୁକ୍ରବାର ଭାରତ ପାକିସ୍ତାନକୁ IMFର ୨.୩ ବିଲିୟନ ଆମେରିକୀୟ ଡଲାରର ନୂତନ ଋଣ ପ୍ରଦାନ ପ୍ରସ୍ତାବକୁ ବିରୋଧ କରି କହିଛି ଯେ ଏହି ଅର୍ଥର ଅପବ୍ୟବହାର ରାଜ୍ୟ-ପ୍ରାୟୋଜିତ ସୀମାପାର ଆତଙ୍କବାଦକୁ ଆର୍ଥିକ ସହାୟତା ଦେବା ପାଇଁ ହୋଇପାରେ। ଏହି ସମ୍ପର୍କରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ଭୋଟ ଦେବାରୁ ଦୂରେଇ ରହିଲା। ଋଣ ପ୍ରଦାନ ବେଳେ ନୈତିକତା ଦିଗ ପ୍ରତି ଦୃଷ୍ଟି ଦେବାକୁ ଭାରତ କହିଛି । ପାକିସ୍ତାନ ପରି ଏକ ଆତଙ୍କବାଦୀ ରାଷ୍ଟ୍ରକୁ ବାରମ୍ବାର ଋଣ ଦେବା ଅନ୍ତର୍ଜାତୀୟ ସମୁଦାୟ ପ୍ରତି ଏକ ବିପଜ୍ଜନକ ବାର୍ତ୍ତା ଯାଉଛି । ଏହା ଆଇଏମଏଫର ଭାବମୂର୍ତ୍ତିକୁ ମଳିନ କରୁଛି ବୋଲି ଭାରତ କହିଛି । ଆଇଏମଏଫ ଡାଟା ଅନୁସାରେ, ୧୯୫୮ ରୁ ୨୦୨୪ ମଧ୍ୟରେ ପାକିସ୍ତାନ ମୋଟ ୨୫ଟି କିସ୍ତିରେ ଋଣ ଗ୍ରହଣ କରିଛି। ଯାହାର ମୋଟ ମଞ୍ଜୁର ରାଶି ୪୪.୫୭ ବିଲିୟନ ଡଲାର ରହିଛି।

ଏଯାଏ ପାକିସ୍ତାନକୁ ୨୮.୨ ବିଲିୟନ ଡଲାରର ପାଣ୍ଠି ବଣ୍ଟନ ହୋଇଛି। ବର୍ତ୍ତମାନ ପାକିସ୍ତାନ ଆଇଏମଏଫକୁ ୮.୩ ବିଲିୟନ ଡଲାର ଋଣ ଦେବାର ବାକି ରହିଛି। ପାକିସ୍ତାନର ଅର୍ଥନୀତି ଚାପରେ ଥିବାବେଳେ ଏହା ଚୀନ, ସାଉଦି ଆରବ ଓ କାତାର ଭଳି ଦେଶ ଏବଂ ଆଇଏମଏଫ, ବିଶ୍ୱ ବ୍ୟାଙ୍କ ଓ ଏସୀୟ ବିକାଶ ବ୍ୟାଙ୍କ ଭଳି ଅନୁଷ୍ଠାନଙ୍କଠାରୁ ଆର୍ଥିକ ସହାୟତା ଉପରେ ନିର୍ଭର କରି ନିଜ ଦେଶର ଆର୍ଥିକ କାରବାର ପୁରଣ କରୁଛି।

Leave a Reply

Your email address will not be published. Required fields are marked *