ନ୍ୟୁଜ ଡେକ୍ସ: ପ୍ରଥମେ ପିଓକେ ଖାଲି କରୁ ପାକିସ୍ତାନ, ପରେ ହେବ ଦ୍ବିପାକ୍ଷିକ ଆଲୋଚନା । କାଶ୍ମୀର ମୁଦ୍ଦାରେ ତୃତୀୟ ପକ୍ଷର ପ୍ରଶ୍ନ ଉଠୁନି । ମଙ୍ଗଳବାର ବିଦେଶ ମନ୍ତ୍ରାଳୟ ସାମ୍ବାଦିକ ସମ୍ମିଳନୀ କରି ପଡ଼ୋଶୀ ଦେଶକୁ କଡ଼ା ସନ୍ଦେଶ ଦେଇଛି । ଭାରତ ଓ ପାକସ୍ତାନ ମଧ୍ୟରେ ସିଜ୍ଫାୟାର ଲାଗୁ ହୋଇଛି ।
ଏବେ ସୀମାରେ କୌଣସି ପ୍ରକାର ଗୁଳିଗୋଳା ମାଡ଼ ହେଉନାହିଁ । ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ବୟାନରେ କହିଛି, “ଆମର ଦୀର୍ଘ ଦିନର ଜାତୀୟ ଦୃଷ୍ଟିକୋଣ ରହିଆସିଛି ଯେ, ଭାରତୀୟ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଏବଂ କଶ୍ମୀର ସହ ଜଡ଼ିତ ଯେକୌଣସି ବିବାଦକୁ ଭାରତ ଏବଂ ପାକିସ୍ତାନ ଦ୍ୱିପାକ୍ଷିକ ଭାବେ ହିଁ ସମାଧାନ କରିବା ଉଚିତ। ଏହି ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆପଣମାନେ ଜାଣିଛନ୍ତି ଯେ, ଏକମାତ୍ର ବିବାଦୀୟ ପ୍ରସଙ୍ଗ ହେଉଛି ପାକିସ୍ତାନ ଦ୍ୱାରା ଅବୈଧ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ (PoK)କୁ ଖାଲି କରିବା।” ସାମ୍ପ୍ରତିକ ‘ଅପରେସନ ସିନ୍ଦୁର’ ଅଧୀନରେ ଭାରତ ପାକିସ୍ତାନ ଏବଂ PoKରେ ଥିବା ଆତଙ୍କବାଦୀ ଠିକଣା ଉପରେ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲା।
ଏହା ପରେ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ଡ୍ରୋନ ଆକ୍ରମଣ ସମେତ ଅନେକ ଆକ୍ରମଣ ହୋଇଥିଲା, ଯାହାକୁ ଭାରତ ଦୃଢ଼ତାର ସହ ମୁକାବିଲା କରିଥିଲା। ଶେଷରେ ପାକିସ୍ତାନ ସିଜଫାୟାର ପାଇଁ ଅନୁରୋଧ କରିଥିଲା। ଏହି ଘଟଣାକ୍ରମ ପରେ ଭାରତ ପୁନର୍ବାର ସ୍ପଷ୍ଟ କରିଛି ଯେ, ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ ଏବଂ ଏ ସମ୍ପର୍କରେ କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପ ଗ୍ରହଣୀୟ ହେବ ନାହିଁ।

