ନ୍ୟୁଜ ଡେକ୍ସ: ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଯୁକ୍ତ ଦୁଇ ରେଜଲ୍ଟ ବାହାରିବାକୁ ଆଉ ବିଳମ୍ବ ହେବନି । ପିଲାମାନେ ବ୍ୟସ୍ତ ହୁଅନ୍ତୁ ନାହିଁ ।
ଯେହେତୁ ଆଜି ଯୁକ୍ତ ତିନି ଆବେଦନର ଶେଷ ତାରିଖ, ଉଚ୍ଚ ଶିକ୍ଷା ବିଭାଗକୁ ସମୟସୀମା ବୃଦ୍ଧି କରିବାକୁ ନିବେଦନ କରିବୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ୩ ଲକ୍ଷ ୬୪ ହଜାର ୫୨୭ ଜଣ ରେଗୁଲାର ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ କଳାର ୨ ଲକ୍ଷ ୨୯ ହଜାର ୬୦୪ ଜଣ ହୋଇଥିବା ବେଳେ ବାଣିଜ୍ୟର ୨୩ ହଜାର ୫୬୦, ବିଜ୍ଞାନର ୧ ଲକ୍ଷ ୬ହଜାର ୩୨୫ ଓ ଧନ୍ଦାମୂଳକ ଶିକ୍ଷାର ୫୦୩୮ ଜଣ ଥିଲେ।
ସେହିଭଳି ୨୭ ହଜାର ୨୮୨ ଜଣ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆବେଦନ କରିଥିଲେ। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା।
