ନ୍ୟୁଜ ଡେକ୍ସ: ଆସନ୍ତା ଜୁନ୍ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଏହାପରେ ରଥଯାତ୍ରା, ବାହୁଡ଼ା, ସୁନାବେଶ, ନୀଳାଦ୍ରିବିଜେ ଆଦି ବିଶେଷ ପର୍ବପର୍ବାଣୀ ରହିଛି। ଏହିସବୁ ପର୍ବପର୍ବାଣୀ ସମୟରେ ଠାକୁରଙ୍କ ନୀତିକାନ୍ତି କିପରି ସୁଚାରୂ ରୂପେ ସମ୍ପାଦନ କରାଯିବ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଛତିଶା ନିଯୋଗ ବୈଠକ।
ଛତିଶା ନିଯୋଗ ବୈଠକରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାଠାରୁ ନିଳଦ୍ରୀ ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି । ଏହାସହ ରଥଯାତ୍ରାବେଳେ ପହଣ୍ଡି ବିଜେ ବେଳେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ ରହିବେ। ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ଉପସ୍ଥିତ ରହିବେ ବୋଲି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଅଧିକାରୀ, ଭୋଇ,ତତ୍ତ୍ୱାବଧାରକ ଚାରମାଳ ସମୀକ୍ଷା,ନିରୀକ୍ଷଣ ଦାୟିତ୍ଵରେ ରହିବେ ।ଯେପରି କୌଣସି ଅଘଟଣ ଏଡା ଯାଇ ପାରିବ ।
ଚାରମାଳ ବନ୍ଧା ହେବା ପରେ ବାଡ଼ଗ୍ରାହୀଙ୍କ ସମେତ ଜଣେ ଜଣେ ବରିଷ୍ଠ ଅଧିକାରୀ ଚାରମାଳ ଯାଞ୍ଚ କରିବେ। ଏଥି ପାଇଁ ଭୋଇ ସେବକଙ୍କ ସମେତ ଜେଟିପିମାନେ ସହଯୋଗ କରିବେ। ଅଘଟଣ ଯେଭଳି ପୁନରାବୃତ୍ତି ନ ହୁଏ ସେ ନେଇ ନିଶ୍ଚିତ କରିବାକୁ ନିଷ୍ପତ୍ତି ହୋଇଛି। ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ହେବା ସହ ରଥଯାତ୍ରା ନୀତି ନିର୍ଘଣ୍ଟରେ ମୋହର ବାଜିଛି।
