ନ୍ୟୁଜ ଡେକ୍ସ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଅର୍ଥାତ୍ ଇସ୍ରୋ ମହାକାଶରେ ୨୦୩୫ ସୁଦ୍ଧା ଏକ ମଡ୍ୟୁଲାର ମହାକାଶ କେନ୍ଦ୍ର – ‘ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ୍” ସ୍ଥାପନ କରିବାର ଯୋଜନା ରଖିଛି। ବୁଧବାର ଇସ୍ରୋର ଅଧ୍ୟକ୍ଷ ତଥା ମହାକାଶ ବିଭାଗର ସଚିବ ଡକ୍ଟର ଭି. ନାରାୟଣନ୍ ଏହା କହିଛନ୍ତି । ବିଏଏସ୍ର ସ୍ଥାପନା ମହାକାଶ ଗବେଷଣା ଏବଂ ତତ୍ସମ୍ପର୍କିତ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ, ଗବେଷକ ଏବଂ ଫ୍ୟାକଲ୍ଟିମାନଙ୍କ ସହିତ ଆଲୋଚନା ପରିପ୍ରେକ୍ଷୀରେ ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ।ଭାରତର ପ୍ରଥମ ମାନବ ମହାକାଶ ମିଶନ, ‘ଗଗନାୟନ’ ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକାରୀ ହେବା ନିମନ୍ତେ ପ୍ରଚେଷ୍ଟା ଚାଲିଥିବା ବେଳେ ଏଥି ନିମନ୍ତେ ୪ ଜଣ ଟେଷ୍ଟ ପାଇଲଟଙ୍କୁ ମହାକାଶଚାରୀ ଭାବେ ପ୍ରଶିକ୍ଷଣ ଦିଆଯାଉଥିବା ସେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ମନୁଷ୍ୟ ନ ଥାଇ ଏହି ପରୀକ୍ଷା କରାଯିବ। ସେହିପରି ୨୦୪୭ ସୁଦ୍ଧା ଭାରତ ବିଶ୍ୱରେ ଏକ ମହାକାଶ ଶକ୍ତି ଭାବେ ନିଜକୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି । ଏପର୍ଯ୍ୟନ୍ତ ଋଷିଆ, ଯୁକ୍ତରାଷ୍ଟ ଆମେରିକା ଏବଂ ଚୀନ୍ ହିଁ ମହାକାଶକୁ ମାନବ ପଠାଇବାରେ ସଫଳ ହୋଇପାରିଛନ୍ତି ବୋଲି ସେ କହିଥିଲେ।
ଜଣେ ରକେଟ ବିଶେଷଜ୍ଞଭାବେ ପରିଚିତ ଡକ୍ଟର ନାରାୟଣନ କହିଥିଲେ ଯେ ଯଦିଓ ଭାରତର ମହାକାଶ ଅଭିଯାନ ୧୯୬୨ରେ ଆରମ୍ଭ ହୋଇଥିଲା ଏହି ଯାତ୍ରା ଖୁବ୍ ଲମ୍ବା ଥିଲା। ଦେଶ ଏବେ ଜଣେ ଭାରତୀୟଙ୍କୁ ନିରାପଦ ଭାବେ ଚନ୍ଦ୍ରକୁ ପଠାଇ ପୁଣି ସଫଳତାର ସହ ଫେରାଇ ଆଣିବା ନିମନ୍ତେ ଲକ୍ଷ୍ୟ ରଖିଛି । ଡକ୍ଟର ନାରାୟଣନ୍ କହିଥିଲେ ଯେ ଚନ୍ଦ୍ରାୟାନ -୪ ଏକ ଜଟିଳ ମିଶନ ଭାବେ ଉଭା ହୋଇପାରେ । କାରଣ ଏହି ମିଶନ ଜରିଆରେ ଚନ୍ଦ୍ରରେ ଥିବା ପଦାର୍ଥକୁ ଆଣିବାର ଯୋଜନା ରଖାଯାଇଛି । ସେହିପରି ଭାରତ ଜାପାନ୍ର ସହଭାଗିତାରେ ଚନ୍ଦ୍ରାୟାନ-୫ ଲଂଚ୍ କରିବାର ଯୋଜନା ରଖିଥିବା ସେ କହିଛନ୍ତି ।
ସୋଆରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ଅନ୍ତରାଷ୍ଟ୍ରୀୟ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ତଥା ଆଇଆଇଟି ଖଡ଼ଗପୁରର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଡକ୍ଟର ନାରାୟଣନ୍ଙ୍କୁ ସ୍ୱାଗତ କରିଥିବା ବେଳେ ଆଡିସ୍ନାଲ୍ ଡିନ୍ (ଷ୍ଟୁଡେଣ୍ଟ ଆଫେୟାର୍ସ) ଆଇଟିଇଆର ପ୍ରଫେସର ରେଣୁ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ ।
