ନ୍ୟୁଜ ଡେକ୍ସ: ରାଜ୍ୟରେ ବିଜେପି ସରକାର ଆସିବା ପରେ ପ୍ରଥମ ଥର ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏହି ଗସ୍ତ ସମୟରେ ସୁବର୍ଣ୍ଣପୁରରେ ୩୨୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟରେ ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ l ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ୮୦ କୋଟି ଟଙ୍କା ମୂଲ୍ୟର ୧୧ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଏବଂ ୨୪୪ କୋଟି ଟଙ୍କା ମୂଲ୍ୟର ୪୫ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି ।
ଏହିସବୁ ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ସଡ଼କ ନିର୍ମାଣ, ଜଳସେଚନ, ସେତୁନିର୍ମାଣ, ସ୍ୱାସ୍ଥ୍ୟ ସେବା ପ୍ରକଳ୍ପ, ମେଗା ଲିଫ୍ଟ ପ୍ରୋଜେକ୍ଟ ଏବଂ ହଷ୍ଟେଲ ଇତ୍ୟାଦି ରହିଛି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ ଉପରେ ଗୋଧନେଶ୍ୱର ଓ ଖଇରମାଳ (ବୀରମହାରାଜପୁର ବ୍ଲକ) ସହିତ ଉଲୁଣ୍ଡାର ହରିହର ଜୋର ଏବଂ ବୀରମହାରାଜପୁରର ସୁରୁବାଲି ଠାରେ ୪ଟି ନଦୀଗର୍ଭ ଜଳାଶୟ (ISS) ନିର୍ମାଣ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଜିଲ୍ଲାରେ ବହୁ ବିକାଶ ମୂଳକ କାର୍ଯ୍ୟ ହୋଇଛି ଏବଂ ଆଗକୁ ମଧ୍ୟ ହେବାର ଅଛି ଏବଂ ଜିଲ୍ଲାରେ ଆୟୁଷ୍ମାନ ଯୋଜନା ଠାରୁ ଆରମ୍ଭ କରି ସୁଭଦ୍ରା ଯୋଜନା, ଆବାସ ସର୍ଭେ ସରିଛି ଏବଂ ଯଥାଶୀଘ୍ର ଲୋକଙ୍କୁ ଘର ମଧ୍ୟ ଯୋଗାଇ ଦିଆଯିବ ।
ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଏବଂ ପର୍ଯ୍ୟଟନର ବିକାଶ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାକୁ ଏକ ନମ୍ବର ଜିଲ୍ଲା ଭାବେ ପରିଗଣିତ କରାଯିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ସମସ୍ତ ସରକାରୀ ଅଧିକାରୀ ସାମଗ୍ରିକ ଭାବେ ଏକ ହୋଇ କାର୍ଯ୍ୟ କଲେ ଏହି ଜିଲ୍ଲାର ବିକାଶ ହୋଇପାରିବ ବୋଲି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
