ନ୍ୟୁଜ ଡେକ୍ସ: ବର୍ତ୍ତମାନ ଦେଶ ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବ୍ୟାପୁଛି । ଏହି ସମୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ଏହି ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଆଜି ରଥଯାତ୍ରା ସମନ୍ବୟ ବୈଠକ ଶେଷ ହେବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହା କହିଛନ୍ତି ।
ସେ କହିଛନ୍ତି ଯେ, ଲୋ-ଭାରିଆଣ୍ଟ କୋଭିଡ ଭୂତାଣୁ ଆସିଛି। ଥଣ୍ଡା-କାଶ ଭଳି ଲକ୍ଷଣ ଥିଲେ ଭିଡ଼କୁ ନ ଗଲେ ଭଲ। ଗୁରୁତର ରୋଗୀ ଥିଲେ ଗହଳି ସ୍ଥାନକୁ ଯାଆନ୍ତୁନି। ମାସ୍କ ବାଧ୍ୟତାମୂଳକ ନୁହେଁ, ବ୍ୟବହାର କଲେ ଭଲ।ତେବେ ରଥଯାତ୍ରା ଦ୍ୱିତୀୟ ସମନ୍ୱୟ ବୈଠକ ପରେ ଆଇନ ମନ୍ତ୍ରୀ ସୂଚନା ଜାରି କରି କହିଛନ୍ତି ଯେ, ପ୍ରାୟ ୮୦% ପସ୍ତୁତି କାର୍ଯ୍ୟ ଶେଷ ହୋଇଛି।
ଗୁଣ୍ଡିଚାର ଯଥେଷ୍ଟ ପୂର୍ବରୁ ଅବଶିଷ୍ଟ ୨୦% ପ୍ରସ୍ତୁତି ସରିବ। ସବୁ ବିଭାଗ ମଧ୍ୟରେ ଉତ୍ତମ ସମନ୍ନୟରେ କାର୍ଯ୍ୟ ଚାଲିଛି। ମହାପ୍ରଭୁ ନିଜେ ସବୁ କିଛି କରାନ୍ତି। ସବୁକିଛି ସୁରୁଖୁରୁରେ ହେବ।୩ ଶହ ଡାକ୍ତର ଚିକିତ୍ସା ସେବା ବୁଝିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ। ୧୫ଟି ଆଇସିୟୁ ବେଡର ବ୍ୟବସ୍ଥା ମଧ୍ୟ କରାଯାଇଛି। କୋଭିଡ୍ ପାଇଁ କେହି ବ୍ୟସ୍ତ ହେବାର କିଛି କାରଣ ନାହିଁ।
