ନ୍ୟୁଜ ଡେକ୍ସ: ନାରୀ ନିର୍ଯାତନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କୁ ଭେଟିବ ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି। ଏନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦିଆଯାଇଛି। ପୂର୍ବତନ ମହିଳା କଂଗ୍ରେସ ସଭାନେତ୍ରୀ ଦିପା ଦାସମୁନସୀ ଏନେଇ କହିଛନ୍ତି, ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି ଗଞ୍ଜାମର ଗୋପାଳପୁର, କନ୍ଧମାଳର ଟିକାବାଲି, କେନ୍ଦୁଝରର ହରିଚନ୍ଦନପୁର ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି।
ଗୋପାଳପୁର ଓ କେନ୍ଦୁଝର ଲଜ୍ଜା ଘଟଣାରେ କଂଗ୍ରେସର କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗସ୍ତ ସାରି ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ଟିମ୍ । ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କଂଗ୍ରେସ ସଭାପତି ଓ ରାହୁଲ ଗାନ୍ଧୀଙ୍କୁ ଆମେ ଏହି ଫ୍ଯାକ୍ଟ ଫାଇଣ୍ଡିଂ ରିପୋର୍ଟ୍ ଦାଖଲ କରିବୁ । ରାଜ୍ୟରେ ବିଜେପି ସରକାରର ଵର୍ଷେ ବିତିଗଲା, ହେଲେ ମହିଳା କମିଶନ ଚୟନ ହୋଇପାରିଲା ନାହିଁ । ମୁଖ୍ୟମନ୍ତ୍ରୀ କଣ କରୁଛନ୍ତି ବୋଲି ଟିମ୍ ପ୍ରଶ୍ନ କରିଛି । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଟିମ ଆହୁରି କହିଛି, ‘ଏଠି ପ୍ରତି ଦୁଇ କିଲୋମିଟର ଅନ୍ତରରେ ଜଣେ ଦୁଷ୍କର୍ମର ଶିକାର ହେଉଛି । ଏଠାରେ କେବଳ ମହିଳା ଅସୁରକ୍ଷିତ ନୁହଁ, ଏଠାରେ ଡ୍ରଗ୍ସ ଆଉ ମଦର ଅବାଧ କାରବାର ହେଉଛି ।
ବେଟି ବଞ୍ଚାଓ ବେଟି ପଢ଼ାଓ ପ୍ରହସନ ପାଲଟିଛି । ଆମେ ଲୋକସଭା ଏବଂ ରାଜ୍ୟସଭାରେ ଏ କଥା ଉଠାଇବୁ । ଏଠାରେ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ପ୍ରଚେଷ୍ଟା କରାଯାଉଛି । ଏଠି ଆମେରିକା ବି ଓଡ଼ିଶା ସରକାରକୁ ନିନ୍ଦା କରିଛନ୍ତି । ବହୁତ ହାଲୁକା ଭାବେ ସରକାର ସବୁ କଥାକୁ ନେଲାଣି ।’ ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନା ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ରାଜ୍ୟରେ ନାରୀ ହିଂସା ବଢୁଛି । ଦୁଷ୍କର୍ମ, ଗଣଦୁଷ୍କର୍ମ, ମହିଳା ଏବଂ ଶିଶୁ ନିଖୋଜ ସଂଖ୍ୟା ବଢିଛି। ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଛି । ପୀଡ଼ିତା ଏବଂ ପରିବାର ଲୋକଙ୍କ ଦୁଃଖ ଶୁଣିଲା ।
ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି। ବର୍ଷେ ହେଲାଣି, ମହିଳା କମିଶନ ଗଢ଼ା ହେଉନି। ମହିଳାମାନେ ଦୁଃଖ କେଉଁଠି କହିବେ। ଲୋକମାନେ ବହୁ ଆଶା ରଖି ଭୋଟ୍ ଦେଇଥିଲେ। ହେଲେ ଏ ସରକାର ତାଙ୍କୁ ନିରାଶ କରିଛି। ମୁଖ୍ୟମନ୍ତ୍ରୀ ସମୟ ଦେଲେନି, କଲ୍ ରିସିଭ୍ କଲେନି କି ଚିଠିର ଉତ୍ତର ଦେଉନାହାନ୍ତି । ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯିବନି କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ ବସିବନି। ଶେଷ ନିର୍ଯାସ ପର୍ଯ୍ୟନ୍ତ ଲଢ଼ିବ।
