ନ୍ୟୁଜ ଡେକ୍ସ : ରାଜ୍ୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ତେବେ ସ୍ପେଶାଲ୍ OTET ନେଇ ଆସିଗଲା ନୂଆ ତାରିଖ । ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା । ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆଜି ସୂଚନା ଦିଆଯାଇଛି ।ସ୍ପେଶାଲ OTET ପରୀକ୍ଷା ଦୁଇଟି ସିଟିଂରେ କରାଯିବ।
ସକାଳ ୯ଟାରୁ ସାଢେ ୧୧ଟା ଯାଏ ପେପର୍-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏଁ ପେପର୍-୨ ପରୀକ୍ଷା ହେବ । ଅଗଷ୍ଟ ୨୨ରୁ ୱେବ୍ସାଇଟ୍ରେ ଉପଲବ୍ଧ ହେବ ଆଡ୍ମିଟ୍ କାର୍ଡ ।ଅନ୍ୟପଟେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ପ୍ରଶାସନିକ ତଦନ୍ତ ଦାବି କରିଛନ୍ତି ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ । ସେ କହିଛନ୍ତି, ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ ଉପସଭାପତିଙ୍କ ଭୂମିକା ନେଇ ପ୍ରଶ୍ନ ଉଠୁଛି । ହାତ ଲେଖା ପ୍ରଶ୍ନପତ୍ର ଲାପଟପ୍ରୁ ବାହାରିଲା ବୋଲି କୁହାଯାଉଛି । ଏବେ ପ୍ରଶ୍ନ ଉଠୁଛି ବୋର୍ଡ଼ ଉପସଭାପତିଙ୍କ ଲାପଟପରେ ଏଭଳି ପ୍ରଶ୍ନପତ୍ର ରୁହେ କି ? ଲିକ୍ କରିଥିବା ବ୍ୟକ୍ତିଙ୍କୁ ପାସୱାର୍ଡ ଦେଲା କିଏ ? ପୂର୍ବରୁ ବୋର୍ଡ଼ ଉପସଭାପତିଙ୍କୁ ଅପସାରଣ କରିବା ପାଇଁ ବହୁବାର ଅଭିଯୋଗ ହୋଇଛି ।
କିନ୍ତୁ ସରକାର ଜଣେ ବ୍ୟକ୍ତିକୁ କାହିଁକି ଏତେ ବର୍ଷ ଧରି ଗୋଟିଏ ପଦବୀରେ ରଖିଥିଲେ ?ବିଜୟ ପଟ୍ଟନାୟକ ପୁଣି କହିଛନ୍ତି, ଚାରୁ ମାଇଣ୍ଡ ୱାର୍କସ୍ ନାମକ ଏକ ରାଜସ୍ଥାନର ଘରୋଇ ସଂସ୍ଥା ପରୀକ୍ଷା ସହ ସଂଶ୍ଲିଷ୍ଟ ଅଛି। ଯେଉଁ ସଂସ୍ଥା ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ଝିଅ ଓ ଜ୍ୱାଇଁଙ୍କର ବୋଲି ଚର୍ଚ୍ଚା ହେଉଛି। ଏ ଦିଗରେ ସରକାର ନିରପେକ୍ଷ ତଦନ୍ତ କରନ୍ତୁ।
