ନ୍ୟୁଜ ଡେକ୍ସ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲ ବେଡରୁ ବାର୍ତ୍ତା ଦେଇଛନ୍ତି। ସମ୍ ଅଲ୍ଟିମେଟ ମେଡିକେୟାରରେ ଚିକିତ୍ସିତ ହେଉଛି। ଡାକ୍ତର, କର୍ମଚାରୀ ଉତ୍ତମ ଯତ୍ନ ନେଉଛନ୍ତି । ଶୁଭେଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୋତେ ଦେଖିବାକୁ ଚାହିଁଲେ ନବୀନ ନିବାସ ଆସି ଭେଟିପାରିବେ ବୋଲି ସେ କହିଛନ୍ତି।
ଏହି ସମୟରେ ନବୀନ ପଟ୍ଟନାୟକଙ୍କର ପୁଣି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ମେଡିକାଲ ବେଡରୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, “ମୁଁ ଭଲ ଅଛି। ଡାକ୍ତରମାନେ ବହୁତ ଭଲ ଚିକିତ୍ସା କରୁଛନ୍ତି।” ସେ ସମସ୍ତଙ୍କର ଶୁଭକାମନା ପାଇଁ ଧନ୍ୟବାଦ ଜଣାଇବା ସହ ଦେଖା କରିବାକୁ ଚାହୁଁଥିବା ଲୋକଙ୍କୁ ନବୀନ ନିବାସକୁ ଆସିବାକୁ ଅନୁରୋଧ କରିଛନ୍ତି ।ସୂଚନାଯୋଗ୍ୟ, ନବୀନ ରବିବାର ଅସୁସ୍ଥ ହେବାରୁ ତାଙ୍କୁ ଭୁବନେଶ୍ବରର ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡିହାଇଡ୍ରେସନ ହୋଇଥିଲା। ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ନବୀନ ପଟ୍ଟନାୟକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ଗତକାଲି ଠାରୁ ମନ୍ତ୍ରୀ, ବିଧାୟକ, ନେତା, ସମର୍ଥକ ଓ ପ୍ରଶଂସକମାନେ ସମ୍ ଅଲ୍ଟିମେଟ୍ ମେଡିକାୟର ଆଡ଼କୁ ଅଗ୍ରସର ହେଉଛନ୍ତି । ଗତକାଲି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଆଇନ୍ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ଏକାମ୍ର ବିଧାୟକ ବାବୁ ସିଂ ମେଡିକାଲରେ ପହଞ୍ଚି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଅବଗତ ହୋଇଛନ୍ତି । ଡାକ୍ତରଙ୍କ ସହିତ କଥାବାର୍ତ୍ତା କରିଥିଲେ ।
