ନ୍ୟୁଜ ଡେକ୍ସ: ରାଜ୍ୟରେ ସୋମବାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଥିବାବେଳେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ତେବେ ମଙ୍ଗଳବାର ରାଜ୍ୟର ପ୍ରାୟ ୧୧ ଜିଲାର କେତେକ ସ୍ଥାନରେ ଘଡଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼ ଆଦି ରହିଛି। ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ତେବେ ଆଜି ୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଓଡ଼ିଶାରେ ଅକ୍ଟୋବର ୧୫ ପୂର୍ବରୁ ମୌସୁମି ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କମ୍। ସ୍ବାଭାବିକ ଭାବେ ଅକ୍ଟୋବର ୧୨ରୁ ୧୫ ମଧ୍ୟରେ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିଥାଏ; କିନ୍ତୁ ଚଳିତ ବର୍ଷ ୧୫ତାରିଖ ପୂର୍ବରୁ ମୌସୁମୀ ଫେରିବା ନେଇ କୌଣସି ସ୍ପଷ୍ଟ ସଙ୍କେତ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟରେ ସ୍ବାଭାବିକ ବର୍ଷା ୧୧୫୦.୨ମି.ମି. ହେବା କଥା, କିନ୍ତୁ ୧୦୯୨ମି.ମି. ବର୍ଷା ରେକର୍ଡ ହୋଇଛି; ଯାହାକି ସ୍ବାଭାବିକରୁ ୫ପ୍ରତିଶତ ନିଅଣ୍ଟ।