Thu. Oct 23rd, 2025

ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିରରେ ପୁଣିଥରେ କ୍ୟାମେରା। ଫଟୋ ଉଠାଇବା ବେଳେ ଧରାପଡ଼ିଲେ ଭକ୍ତ। ଗର୍ଭଗୃହରେ ଫଟୋ ଉଠାଉଥିବା ବେଳେ ଧରାପଡିଛନ୍ତି। ଭକ୍ତଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଲେ ଜେଟିପି। ଅଭିଯୁକ୍ତ ଅରୂପ ରାୟ (୩୧)ଙ୍କୁ ମନ୍ଦିର ସୁରକ୍ଷା କର୍ମଚାରୀ ଭିତର କାଠ ନିକଟରେ ଗିରଫ କରିଥିଲେ।

ଯିଏକି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ଉପରେ ସନ୍ଦେହ ବଢିଥିଲା। ପରେ ତାଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ ପାଇଁ ସିଂହଦ୍ୱାର ପୋଲିସକୁ ହସ୍ତାନ୍ତର କରାଯାଇଥିଲା।ଯାଞ୍ଚ ପାଇଁ ତାଙ୍କ ଚଷମା ଏବଂ ମୋବାଇଲ୍ ଫୋନ୍ ଜବତ କରାଯାଇଛି।ବ୍ୟକ୍ତି ଜଣକ ତାଙ୍କ ପରିବାର ସହିତ କୋଲକାତାରୁ ପୁରୀ ଆସିଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ଆଇନର ଧାରା ୩୦ ଅନୁଯାୟୀ ତାଙ୍କ ବିରୁଦ୍ଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିବା ନେଇ ପୁରୀ ଏସପି ପ୍ରତୀକ ସିଂହ ଗଣମାଧ୍ୟମକୁ କହିଛନ୍ତି।

ତେବେ ଶ୍ରୀମନ୍ଦିର ଭିତରେ ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି ଉପରେ ନିଷେଧାଦେଶ ଏବଂ ସାଇନବୋର୍ଡ ଲଗାଯାଇଥିବା ସତ୍ତ୍ୱେ ନିକଟରେ ଏପରି ଅନେକ ଘଟଣା ଘଟିଛି। ତେବେ ବାରମ୍ବାର ଏଭଳି ଘଟୁଥିବାରୁ ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ ୧୯୫୫କୁ ସଂଶୋଧନ କରିବାକୁ ଚିନ୍ତା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *